କୋଭିଡ୍ ଟିକା ପ୍ରଦାନ ପାଇଁ ଓଡିଶା ପ୍ରସ୍ତୁତ, ପ୍ରଥମେ ୩ ଲକ୍ଷ ୨୦ ହଜାର ସ୍ଵାସ୍ଥ୍ୟ କର୍ମୀଙ୍କୁ ମିଳିବ ଟିକା, କ୍ୟାବିନେଟ୍ ସଚିବଙ୍କ ବୈଠକରେ କହିଲେ ମୁଖ୍ୟ ସଚିବ

Published By : Prameya-News7 Bureau | November 30, 2020 IST

ଭୁବନେଶ୍ବର ୩୦/୧୧: କୋଭିଡ୍ ଟିକା ପ୍ରଦାନ ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି। ଟିକା ପ୍ରଦାନ ନେଇ ଓଡ଼ିଶାରେ ପ୍ରସ୍ତୁତ ହୋଇଛି ତାଲିକା। ବ୍ଲକ୍, ଜିଲ୍ଲା ଓ ରାଜ୍ୟ ସ୍ତରୀୟ କମିଟିର ବୈଠକ ହୋଇଛି। ଏଥିପାଇଁ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍ ମଧ୍ୟ କରାଯାଇଛି। ଟିକା ପ୍ରଦାନ ପାଇଁ ୮,୩୦୦ ଜଣ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ୩୦ ହଜାର ସ୍ଥାନରେ ଟିକା ଦେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମେ ୩ ଲକ୍ଷ ୨୦ ହଜାର ସ୍ବାସ୍ଥ୍ୟ କର୍ମୀଙ୍କୁ ମିଳିବ ଟିକା। ଟିକାର ସଂରକ୍ଷଣ ଓ ପରିବହନ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ କୋଭିଡ୍ ସମୀକ୍ଷା ବୈଠକ ପରେ ଏହାର ସୂଚନା ଦେଇଛନ୍ତି ମୁଖ୍ୟ ସଚିବ।

ପ୍ରସ୍ତୁତି ବିଷୟରେ ସୂଚନା ଦେଇ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଓଡିଶା ପ୍ରାଥମିକ ସ୍ତରରେ କୋଭିଡ୍ ଟିକାକରଣ ପାଇଁ ପ୍ରସ୍ତୁତ ରହିଛି। ବିଭିନ୍ନ ସ୍ତରରେ ଏବଂ ବହୁ କ୍ଷେତ୍ରରେ ଏ ନେଇ ପ୍ରସ୍ତୁତି କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ପରିଚାଳନା କମିଟି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଗଠିତ ରାଜ୍ୟ ଟାସ୍କ ଫୋର୍ସ କମିଟି ପୂର୍ବରୁ ଏ ସମ୍ବନ୍ଧରେ ଆଲୋଚନା କରି ସାରିଛନ୍ତି। ଜିଲ୍ଲା ଟାସ୍କ ଫୋର୍ସ କମିଟିର ବୈଠକ ସମ୍ପୃକ୍ତ କଲେକ୍ଟରଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। ପ୍ରାଥମିକସ୍ତରରେ ଟିକା ଯୋଗାଣ କିଭଳି ହୋଇ ପାରିବ ସେ ନେଇ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି  ବୋଲି ମୁଖ୍ୟ ସଚିବ କହିଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ,  ଆବଶ୍ୟକ ଯୋଗାଯୋଗ ଏବଂ ଲଜିଷ୍ଟିକ୍ ସହାୟତା ସହିତ ରାଜ୍ୟ, ଜିଲ୍ଲା ଏବଂ ବ୍ଲକସ୍ତରରେ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହା  ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପ୍ରଶାସନ ଏନଜିଓ, ଏନସିସିର ୟୁନିଟ୍ ଏବଂ ନାଗରିକ ସମାଜ ସଂଗଠନ ମଧ୍ୟରେ ଉତ୍ତମ ସମନ୍ଵୟ ରହିଛି।  ଭୁଲ ଯୋଗାଯୋଗକୁ ରୋକିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଥିବା ସେ କହିଛନ୍ତି।

ସ୍ଵତନ୍ତ୍ର ସଚିବ ତଥା ମିଶନ ନିର୍ଦ୍ଦେଶକ ଏନଏଚଏମ ଶାଳିନୀ ପଣ୍ଡିତ କହିଛନ୍ତି, କରୋନା ଭ୍ୟାକସିନ ଦିଆଯିବାକୁ ଥିବା ପ୍ରସ୍ତୁତ ତାଲିକାରେ ୩.୨ ଲକ୍ଷ ସ୍ଵାସ୍ଥ୍ୟ କର୍ମୀ ତଥା କରୋନାର ଆଗ ଧାଡିର ଯୋଦ୍ଧାଙ୍କୁ ରଖାଯାଇଛି। ପାତ୍ର କହିଛନ୍ତି, ଟିକା ପ୍ରଦାନ ପାଇଁ ୮,୩୦୦ ଜଣ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ୩୦ ହଜାର ସ୍ଥାନରେ ଟିକା ଦେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.