BSKY କାର୍ଡ ଠକାମି ଉପରେ କଡ଼ା ନଜର ରଖିବାରୁ ବିଭାଗୀୟ ଟିମ୍ଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ
11/01/2023 at 8:02 PM

ଭୁବନେଶ୍ବର ୧୧/୦୧ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ନାଁରେ କୌଣସି ପ୍ରକାର ଠକାମି ବା ଜାଲିଆତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏହା ଉପରେ କଡ଼ା ନଜର ରଖିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଲିନୀ ପଣ୍ଡିତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ ବି.ଏସ୍.କେ.ୱାଇ. ଟିମଙ୍କୁ ନିର୍ଦେଶ ଦେଇଛନ୍ତି। ଠକାମି ବିରୋଧରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆଇନ ଏବଂ ବି.ଏସ୍.କେ.ୱାଇ. ପ୍ରବର୍ତ୍ତନ ବ୍ୟବସ୍ଥା ଅନୁସାରେ ଏପରି ଠକମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱାସ୍ଥ୍ୟ ସଚିବ କହିଛନ୍ତି।
ଶାଲିନୀ ପଣ୍ଡିତ କହିଛନ୍ତି “ରାଜ୍ୟବାସୀଙ୍କୁ ସାର୍ବଜନୀନ ଗୁଣାତ୍ମକ ଚିକିତ୍ସା ଯୋଗାଇବାକୁ ରାଜ୍ୟ ସରକାର ବଦ୍ଧ ପରିକର। ଏଥିପାଇଁ ଉପଯୁକ୍ତ ଆର୍ଥିକ ଓ ପ୍ରଶାସନ ବ୍ୟବସ୍ଥା ସହ ବି.ଏସ୍.କେ.ୱାଇ. ଯୋଜନା ଚାଲୁରହିଛି। ସ୍ବାସ୍ଥ୍ୟସେବା ପାଇଁ କରାଯାଇଥିବା ସୁବିଧାର ଅପବ୍ୟବହାର ବା ବି.ଏସ୍.କେ.ୱାଇ. ନାଁରେ ଠକେଇକୁ କୌଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ, ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ”।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ବିଷୟରେ କୌଣସି ସନ୍ଦେହ ବା ପ୍ରଶ୍ନ ଥିଲେ ଦେୟମୁକ୍ତ ନମ୍ବର ବା ଜିଲ୍ଲା ସଂଯୋଜକଙ୍କ ସହ ଯୋଗଯୋଗ କରିବାକୁ ଶ୍ରୀମତୀ ପଣ୍ଡିତ ପରାମର୍ଶ ଦେଇଛନ୍ତି। ଜିଲ୍ଲା ସଂଯୋଜକମାନେ ସାଧାରଣତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥାଆନ୍ତି। ସ୍ବାସ୍ଥ୍ୟମିତ୍ରମାନେ ସାଧାରଣତଃ ବି.ଏସ୍.କେ.ୱାଇ. ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ମାନଙ୍କରେ ବି.ଏସ୍.କେ.ୱାଇ. କାଉଣ୍ଟରରେ ଉପସ୍ଥିତ ରହି ସେବା ଯୋଗାଇ ଥାଆନ୍ତି।
ଯେଉଁ ପରିବାରଙ୍କର ବି.ଏସ୍.କେ.ୱାଇ. ସ୍ମାର୍ଟକାର୍ଡ଼ ଅଛି ବା ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସେମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇଁ ଯୋଗ୍ୟ। କାର୍ଡ଼ ସମ୍ବନ୍ଧିୟ ସମସ୍ତ ବିଷୟ ପାଇଁ ୧୫୫୩୬୯ ଦେୟମୁକ୍ତ ନମ୍ବରକୁ କଲ୍ କରି ଜଣାଇଲେ ସଠିକ ସମାଧାନ ହୋଇପାରିବ ବୋଲି କୁହାଯାଇଛି। ଲୋକମାନେ ଦେୟମୁକ୍ତ ଚିକିତ୍ସା ପାଇଁ ପସନ୍ଦ ଅନୁସାରେ ତାଲିକାଭୁକ୍ତ ହସପିଟାଲକୁ ଯିବା ପୂର୍ବରୁ ମଧ୍ୟ ୧୦୪ ନମ୍ବର ମାଧ୍ୟମରେ ପ୍ରାଥମିକ ଯୋଗଯୋଗ କରି ବୁଝିପାରିବେ। ନହେଲେ ଜରୁରୀ ସ୍ଥିତିରେ ହସ୍ପିଟାଲରେ ପହଞ୍ଚି ସ୍ବାସ୍ଥ୍ୟମିତ୍ରଙ୍କ ସହାୟତା ନେଇପାରିବେ। ବି.ଏସ୍.କେ.ୱାଇ. କାର୍ଡରେ କୌଣସି ସମସ୍ୟାକୁ ନେଇ ୧୪୫୪୫ ନମ୍ୱରକୁ କଲ୍ କରି ଜଣାଇ ପାରିବେ।
ଏହାଛଡ଼ା, ଟ୍ବିଟର ଆକାଉଣ୍ଟ @bskyodisha ବା ଫେସବୁକ୍ ଆକାଉଣ୍ଟ bskyodisha ମାଧ୍ୟମରେ ବି କାର୍ଡ଼ଧାରୀମାନେ ନିଜର ଅଭିଯୋଗ ଓ ମତାମତ ଜଣାଇ ପାରିବେ। ଏହି ସବୁ ନାଗରିକ-କୈନ୍ଦ୍ରୀକ ଯୋଗାଯୋଗ ପଏଣ୍ଟ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ପଣ୍ଡିତ ବି.ଏସ୍.କେ.ୱାଇ. ଟିମକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି ।