ବିହାର ଶିଶୁ ମଡକ ପରେ ରାଜ୍ୟ ସରକାରଙ୍କ ଚେତା ପଶିଲା, ଲିଚୁର ମାନ ଯାଞ୍ଚ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
18/06/2019 at 6:40 PM

ଭୁବନେଶ୍ବର୧୮|୬: ସରକାରଙ୍କ ଚେତା ପଶିଛି । ରାଜ୍ୟରେ ବିକ୍ରି ହେଉଥିବା ଲିଚୁର ମାନ ପରୀକ୍ଷା ହେବ । ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ନେଇ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାଉରକେଲା ସହରରେ ଲିଚୁ ବିକ୍ରି ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ବିହାରରେ ଶିଶୁ ମଡ଼କ ଓ ଏହା ପଛରେ ଲିଚୁରେ ଥିବା ଟକ୍ସିକ୍ ଏଲିମେଣ୍ଟକୁ ଅନେକ ଦାୟୀ କରିବା ପରେ ସାରା ଦେଶରେ ଏ ନେଇ ଚିନ୍ତା ଦେଖା ଦେଇଛି ।

ନ୍ୟୁଜ୭ରେ ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ବିହାରରେ ଶିଶୁ ମଡ଼କ ପଛରେ ଲିଚୁ ହିଁ କାରଣ ଚର୍ଚ୍ଚା ହେବା ପରେ ରାଜ୍ୟରେ ଶିଶୁମାନଙ୍କୁ ଲିଚୁଠାରୁ ଦୂରେଇ ରଖିବାକୁ ନ୍ୟୁଜ ସେଭେନ ଦାବି କରିଥିଲା। ଆଉ ଆଜି ସ୍ବାସ୍ଥ୍ୟ ବିଭାଗ ସାମ୍ନାକୁ ଆସିଛି ବେଧଡ଼କ ଲିଚୁ ବିକ୍ରି ଉପରେ ଲାଗିବ ରୋକ୍ । ପରୀକ୍ଷା ହେବ ଲିଚୁର ମାନ ।

ରାଜ୍ୟରେ ବିକ୍ରି ହେଉଥିବା ଲିଚୁର ମାନ ପରୀକ୍ଷା କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ ବି କହିଛନ୍ତି । ସେପଟେ ରାଉରକେଲା ସହରରେ ଲିଚୁ ବିକ୍ରିକୁ ବନ୍ଦ କରିଦିଆଯାଇଛି । ସୁନ୍ଦରଗଗଡ଼ ଜିଲ୍ଲା ପ୍ରଶାସନ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛି ।

ରାଉରକେଲାରେ ଏ ନେଇ କଟକଣା ଜାରି ହୋଇଥିଲେ ବି ଅନ୍ୟ ସହରରେ ଅନାୟାସାରେ ଚାଲିଛି ଲିଚୁ ବିକ୍ରି । ନା ହେଉଛି ପରୀକ୍ଷା ନିରୀକ୍ଷା ନା ରହିଛି ସଚେତନତା । ଭୁବନେଶ୍ୱରରେ ବିହାର ଲିଚୁର ସବୁଠୁ ଅଧିକ ବିକ୍ରି ଚାଲିଛି । ଅନ୍ୟପକ୍ଷରେ, ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ସହ ଏ ନେଇ ଆଲୋଚନା କରାଯିବ । ସେପଟେ, ଲିଚୁକୁ ନେଇ ଉଭୟ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢିବାରେ ଲାଗିଲାଣି ।

ବିହାରରେ ମସ୍ତିଷ୍କ ଜ୍ୱରରେ ଶହେରୁ ଅଧିକ ଶିଶୁଙ୍କ ଜୀବନ ଗଲାଣି । ଏହା ପଛରେ କାରଣ ସ୍ପଷ୍ଟ ହୋଇ ନ ଥିଲେ ବି ଲିଚୁରେ ଥିବା ଟକ୍ସିକ୍ ଏଲିମେଣ୍ଟକୁ ଅନେକ ବିଶେଷଜ୍ଞ ଦାୟୀ କରୁଛନ୍ତି । ଆଉ ଓଡ଼ିଶାରୁ ୭୦ ଭାଗ ଲିଚୁ ବିହାରରୁ ହିଁ ଆସିଥାଏ । ତେଣୁ ଆମ ରାଜ୍ୟ ପ୍ରଶାସନ ବି ସତର୍କ ରହିବା ଦରକାର ବୋଲି ଦାବି ହେଉଛି ।