ତ୍ରିପୁରାରେ ଓଡିଆ ଛାତ୍ରଛାତ୍ରୀଙ୍କୁ ମାଡ ଘଟଣା : ଆକ୍ସନ ମୁଡ୍‌କୁ ଆସିଲେ ଓଡିଶା ସରକାର

Published By : Prameya-News7 Bureau | September 27, 2018 IST

ଅଗରତାଲା ୨୭|୯: ତ୍ରିପୁରା ଅଗରତାଲାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମାଡ ମାରିବା ଘଟଣା ନ୍ୟୁଜ୍ ସେଭେନ୍‌ରେ ପ୍ରସାରଣ ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ନ୍ୟୁଜ୍ ସେଭେନ୍‌ରେ ଖବର ଓ ଭିଡିଓ ଦେଖିଲା ପରେ ପଦକ୍ଷେପ ନେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ । ନ୍ୟୁଜ୍ ସେଭେନ୍ ପ୍ରତିନିଧିଙ୍କଠାରୁ ପିଲାଙ୍କ ଖବର ଓ ଭିଡିଓ ପାଇଥିଲୁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟଣା ସଂପର୍କରେ ତ୍ରିପୁରା ଡିଜିଙ୍କ ସହ ଓଡ଼ିଶା ଡିଜି କଥା ହୋଇଛନ୍ତି । ସେଠାରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି । ତ୍ରିପୁରା ଘଟଣାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ମାଡ଼ ଖାଇଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବ । କମିଟିରେ ଅଛନ୍ତି ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଭିସି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ବି. ପରମେଶ୍ବରନ । ସୂଚନା ଯୋଗ୍ୟ ଯେ, ଗତକାଲି ତ୍ରିପୁରା ଅଗରତାଲା ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ଗଣ୍ଡଗୋଳ ହୋଇଥିଲା । ପୋଲିସ ଉପସ୍ଥିତିରେ ରୁମ୍ ରେ ଭର୍ତ୍ତି କରି ଓଡ଼ିଆ ପିଲାଙ୍କୁ ସ୍ଥାନୀୟ ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଯୁବକ ଛାତ୍ରୀଙ୍କୁ ମଧ୍ୟ ଗୋଡାଇ ଗୋଡାଇ ପିଟିଥିଲେ । । ନ୍ୟୁଜ୍ ସେଭେନ୍‌କୁ କାନ୍ଦି କାନ୍ଦି ଘଟଣା ସଂପର୍କରେ ଜଣାଇଥିଲେ ଛାତ୍ରଛାତ୍ରୀ । ଓ୍ବେଷ୍ଟ ଅଗରତାଲା ଏସ୍‌ପି କିନ୍ତୁ କହିଥିଲେ ତାଙ୍କ ପାଖରେ ଏନେଇ ଖବର ନାହିଁ । ଅଭିଯୋଗ ମିଳିଲେ ତଦନ୍ତ କରିବେ । ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପଢୁଛନ୍ତି ପାଖାପାଖି ଦେଢଶହ ଓଡିଆ ଛାତ୍ରଛାତ୍ରୀ । ଅଗରତାଲା ନିକଟସ୍ଥ ଏକଲବ୍ୟ ପରିସରରେ ଅଛି ଏହି ସଂସ୍ଥାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.