କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
2/12/2020 at 1:02 PM

ଭୁବନେଶ୍ବର ୨।୧୨: ଓଡିଶାରେ କୋଭିଡ୍ ପରୀକ୍ଷାର ନୂଆ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର । ୧୨ ଶହ ଟଙ୍କା ପରିବର୍ତ୍ତେ ଏଣିକି ୪ ଶହ ଟଙ୍କାରେ ହେବ କୋଭିଡ୍ RT-PCR ପରୀକ୍ଷଣ । ଯାହାକି ଅନ୍ୟ ରାଜ୍ୟ ତୁଳନାରେ ସବୁଠୁ ଶସ୍ତା । ଘରୋଇ ଲ୍ୟାବରେ ୪ ଶହ ଟଙ୍କାରେ କରିପାରିବେ କୋଭିଡ୍ ପରୀକ୍ଷା । ଆରଏମଆରସିର ତତ୍ତ୍ବାବଧାନରେ ଘରୋଇ ଲ୍ୟାବଗୁଡିକ ପରୀକ୍ଷା କରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗତ ଅଗଷ୍ଟ ମାସରେ ରାଜ୍ୟ ସରକାର କୋଭିଡ୍ RT-PCR ପରୀକ୍ଷା ଦର ୨୨୦୦ ଟଙ୍କାରୁ ୧୨୦୦ ଟଙ୍କାକୁ ହ୍ରାସ କରିଥିଲେ ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ଦିଲ୍ଲୀ ସରକାର ମଧ୍ୟ RT-PCR ପରୀକ୍ଷା ଦର କମାଇଥିଲେ । ଗୁଜରାଟ ଏବଂ ଦିଲ୍ଲୀରେ ଘରୋଇ ଲ୍ୟାବ୍ ରେ କୋଭିଡ୍ RT-PCR ପରୀକ୍ଷା ଦର ୨୪୦୦ରୁ ହ୍ରାସ କରି ୮୦୦ ଟଙ୍କା କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ।
ସେଭିଭଳି ଉତ୍ତରପ୍ରଦେଶରେ ମଧ୍ୟ RT-PCR ପରୀକ୍ଷା ୧୬୦୦ ବଦଳରେ ୭୦୦ ଟଙ୍କାରେ କରାଯିବ ବୋଲି ଘୋଷଣା କରାଯାଇଛି । ଘରେ ପରୀକ୍ଷା କଲେ ୯୦୦ ଟଙ୍କା ଦେବାକୁ ପଡିବ । ଉତ୍ତରାଖଣ୍ଡରେ ମଧ୍ୟ ଏହି ଦର ୧୬୦୦ରୁ ହ୍ରାସ ପାଇ ୯୦୦ ଟଙ୍କା ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଓଡିଶା ସରକାର ମଧ୍ୟ କୋଭିଡ୍ RT-PCR ପରୀକ୍ଷା ଦର କମାଇଛନ୍ତି ।
