ରାଜ୍ୟ ସରକାରଙ୍କ ନୂଆ ଯୋଜନା `ମୋ ଘର’, ହିତାଧିକାରୀଙ୍କୁ ମିଳିବ ୪ ପ୍ରକାରର ସୁବିଧା, ଜାଣନ୍ତୁ…
29/05/2023 at 2:18 PM

ଭୁବନେଶ୍ୱର ୨୯।୦୫ : ରାଜ୍ୟ ସରକାର ନୂଆ ଯୋଜନା `ମୋ ଘର’ର ଶୁଭାରମ୍ଭ କରିଛନ୍ତି । ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ମୋ ଘର ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ଏଥିରେ ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାର କଠୋର ଚୟନ ମାନଦଣ୍ଡରେ ବାଦ୍ ପଡିଥିବା ପରିବାର ଉପକୃତ ହେବେ।
ପୂର୍ବରୁ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ମଧ୍ୟ ଏହି ଯୋଜନାରେ ଘରର ଉନ୍ନତିକରଣ ବା ସଂପ୍ରସାରଣ କରିପାରିବେ । ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ପ୍ରଥମ ବର୍ଷ ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହେବ। ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ । ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିବ । ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ କାର୍ ନଥିବ । ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ । ୫ ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର ଏହି ଯୋଜନାରେ ଲାଭ ପାଇପାରିବେ ।
ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ଋଣ ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ। ଅନୁସୂଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଅତିରିକ୍ତ ସବସିଡି ରାଶି ପ୍ରଦାନ କରାଯିବ। ଋଣ ପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିବା ପୂର୍ବରୁ ଯୋଜନା ପାଇଁ ଥିବା ନିର୍ଦ୍ଧିଷ୍ଟ ଓ୍ବେବସାଇଟରେ ପଞ୍ଜିକରଣ କରିବାକୁ ପଡିବ। ଜୁନ୍ ୧୬ତାରିଖରୁ ଆବେଦନ ଗ୍ରହଣ କରାଯିବ। ଆବେଦନକାରୀ ନିଜେ କିମ୍ବା ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରିପାରିବେ। ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ଦୁଇ ବର୍ଷରେ ୨୧ଶହ ୫୦କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଛି ।