ବଢିଲା ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କର୍ମୀଙ୍କ ଦରମା, ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ

Published By : Prameya-News7 Bureau | February 29, 2024 IST

ଭୁବନେଶ୍ବର ୨୯।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନବାଡୀ କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି । ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସୂଚନାଯୋଗ୍ୟ ଯେ, 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଅଙ୍ଗନବାଡି କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଏହି ଘୋଷଣା ଅନୁଯାୟୀ, ଅଙ୍ଗନବାଡି କର୍ମୀମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ  ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କା ହେଲା ।

ସେହିପରି ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଗଲା । ଏହି ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଚଳିତ ଫେବୃଆରୀ ମାସରୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ । ଅକ୍ଟୋବର ୨୦୨୩ରୁ ଜାନୁଆରୀ ୨୦୨୪ - ଚାରି ମାସର  ବର୍ଦ୍ଧିତ ବକେୟା ରାଶି  ମାର୍ଚ୍ଚ ୫ ତାରିଖରୁ ୧୦ ତାରିଖ ମଧ୍ୟରେ  ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ।

ସେହିପରି ଅଙ୍ଗନବାଡି କର୍ମଚାରୀଙ୍କ ସେବା ନିବୃତ୍ତିରେ ପାଉଥିବା ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରାଯାଇଛି। ଏହା ୦୧.୦୪.୨୦୨୪ ଠାରୁ ଲାଗୁହେବ । ବର୍ଦ୍ଧିତ ପ୍ରୋତ୍ସାହନ ରାଶି ବାବଦରେ ଅଙ୍ଗନବାଡି କର୍ମୀମାନେ ପୂର୍ବରୁ ପାଉଥିବା ୪୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା ପାଇବେ। ମିନି ଅଙ୍ଗନବାଡି କର୍ମୀମାନେ ୩୦ ହଜାର ଟଙ୍କା ପରିବର୍ତ୍ତେ ୭୫ ହଜାର ଟଙ୍କା ପାଇବେ ଓ ଅଙ୍ଗନବାଡି ସହାୟିକାମାନେ ୨୦ ହଜାର ଟଙ୍କା ପରିବର୍ତ୍ତେ ୫୦ ହଜାର ଟଙ୍କା ପାଇବେ ।

ସେହିପରି ସାମାଜିକ ସୁରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା ନିମନ୍ତେ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ୨ ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମତା ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ । ଏହି ସୁବିଧା ମଧ୍ୟ ୦୧.୦୪.୨୦୨୪ରୁ ଲାଗୁ ହେବ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.