‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର

Published By : Prameya-News7 Bureau | December 02, 2020 IST

କଟକ ୨।୧୨: ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡିକ କେତେ ମାତ୍ରାରେ ଫି’ ଆଦାୟ କରିପାରିବେ, ସେସବୁକୁ ନିର୍ଦ୍ଧାରଣ କରିବା ଭଳି ଆଇନ ରାଜ୍ୟରେ ନାହିଁ । ବୁଧବାର ସତ୍ୟପାଠ ଜରିଆରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଛନ୍ତି ସରକାର । ତେବେ ଆଇନ କାହିଁକି ନାହିଁ, ସେନେଇ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ।

ଆସନ୍ତା ସୋମବାର ମାମଲାର ପୁନଃ ଶୁଣାଣି କରିବା ପାଇଁ ବୁଧବାର ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସ୍କୁଲ ଫି ହ୍ରାସ କରିବା ନେଇ ହାଇକୋର୍ଟରେ ଯେଉଁ ମାମଲାର ଶୁଣାଣି ଚାଲିଛି, ତା ଉପରେ ରାଜ୍ୟ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ । ତେବେ ସରକାର ସେନେଇ ତଥ୍ୟ ଦେବାପରେ, ଆବେଦନକାରୀ ଏହା ଉପରେ ପ୍ରତି ଜବାବ ଦାଖଲ କରିବେ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ।

ସେପଟେ ସ୍କୁଲ-କଲେଜ ଆଦିରେ ସବୁ ପ୍ରକାରର ଫି' ଛାଡ କରିବା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଛାତ୍ର ସଂଗଠନ ଏଆଇବିଏସଓ । ସଂଗଠନ ଅଭିଯୋଗ କରିଛି ଯେ, କୋଭିଡ୍ କାରଣରୁ ରାଜ୍ୟବାସୀ ରୋଜଗାର ହରାଇଛନ୍ତି । ଦେଶରେ ୨୦କୋଟି ଲୋକ ବେକାର ହୋଇଛନ୍ତି, ତେଣେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ହୋଇଥିବା ହେତୁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ତେଣୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନର ଫି' ଛାଡ କରିବା ଲାଗି ପଦକ୍ଷେପ ନିଅନ୍ତୁ ବୋଲି ସଂଗଠନ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.