ଭୁବନେଶ୍ୱର: ବଦଳିଯିବ ଓଡ଼ିଶାର ଚିତ୍ର। ରାଜ୍ୟରେ ଜାହାଜ ନିର୍ମାଣ କାରଖାନା ଠାରୁ ଆରମ୍ଭ କରି ବିଶ୍ୱର ସବୁଠାରୁ ବଡ଼ ଇଭି କାରଖାନା ହେବ। ହୋଟେଲ, ରିସୋର୍ଟ ଓ ସୌରଶକ୍ତି ପ୍ଲାଣ୍ଟ ବି ହେବ। ପାଖାପାଖି ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭଦ୍ରକ ଜିଲ୍ଲାରେ ନେପ୍ଚୁନ୍ସ ସିପ୍ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍ ୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଏକ ସମନ୍ୱିତ ଜାହାଜ ତିଆରି କାରଖାନା ସ୍ଥାପନ କରିବ। ରାଜ୍ୟ ସରକାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ ପାଞ୍ଚଟି ହୋଟେଲ୍ ଓ ରିସୋର୍ଟ ପ୍ରକଳ୍ପ ମଞ୍ଜୁର ହୋଇଛି। ମଙ୍ଗଳବାର ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ମୋଟ ୪୯୫୪.୨୬ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଥିବା ୩୧ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୪,୧୬୨ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ବର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ସ୍ଥାପନ କରାଯିବ।
କେଉଁ ଜିଲ୍ଲାରେ କେଉଁ କମ୍ପାନୀ ପ୍ରତିଷ୍ଠା ହେବ?
ଖୋର୍ଦ୍ଧା- କାଲଡେରିସ୍ ଇଣ୍ଡିଆ ଖୋର୍ଦ୍ଧାରେ ୬୯୮.୭୧ କୋଟି ଟଙ୍କା ନିବେଶ କରି ରିଫ୍ରାକ୍ଟରି କାରଖାନା ସ୍ଥାପନ କରିବ। ଖୋର୍ଦ୍ଧା- ଏଫ୍ଏମ୍ ଡେନିମ୍ ଆଣ୍ଡ୍ ଟ୍ୱିଲ୍ ପ୍ରାଇଭେଟ ଲିମିଟେଡ୍ ଓ ତ୍ରିପଥଗା ଟେକ୍ସଟାଇଲ୍ସ ଖୋର୍ଦ୍ଧାରେ ପୋଷାକ କାରଖାନା ବସାଇବେ। ବିସ୍ଲେରି ମଧ୍ୟ ଖୋର୍ଦ୍ଧାରେ କାରଖାନା ଖୋଲିବ। ଡାନିଏଲି ଇଣ୍ଡିଆ, ପଲିମିରୟର ଇଣ୍ଡିଆ, ପାର୍ଥ ଇଲେକ୍ଟ୍ରିକାଲ୍ସ ଆଣ୍ଡ୍ ଇଞ୍ଜିନିୟରିଂ ସେହିଭଳି ମେକାନିକାଲ୍ ଓ ଇଲେକ୍ଟ୍ରିକାଲ୍ ଉପକରଣ ଉତ୍ପାଦନ ଲାଗି କାରଖାନା ବସାଇବେ। ଖୋର୍ଦ୍ଧାରେ ଶାଲିମାର ଗ୍ଲାସ୍ ୪୭୫.୫୪ କୋଟି ଟଙ୍କା ନିବେଶ କରିବ।
କୋରାପୁଟ- ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ୨୯୪ କୋଟି ଟଙ୍କା ନିବେଶରେ ସୌରଶକ୍ତି ପ୍ଲାଣ୍ଟ ବସାଇବ। ତା ସହିତ କୋରାପୁଟରେ ଜିଏମ୍-ଇନ୍ଫ୍ରାଟେକ୍ ୮୧.୧୧ କୋଟି ଟଙ୍କା ନିବେଶରେ ଏହାର ପ୍ରସ୍ତାବିତ ରିସୋର୍ଟର ସମ୍ପ୍ରସାରଣ କରିବ।
ପୁରୀ- ଏସ୍ଏନ୍ଏମ୍ ହୋଟେଲ୍ ଆଣ୍ଡ ରିସୋର୍ଟ ନିଜସ୍ୱ ଜମିରେ ପୁରୀରେ ୨୧୨.୨୫ କୋଟି ଟଙ୍କା ନିବେଶ କରି ହୋଟେଲ୍ ଓ ରିସୋର୍ଟ ଖୋଲିବ।
ଜଗତସିଂହପୁର- ପାରାଦୀପରେ ମେଫେୟାର ୧୦୫ କୋଟି ଟଙ୍କା ନିବେଶରେ ହୋଟେଲ୍ ତଥା ରିସୋର୍ଟ ସ୍ଥାପନ କରିବ।
କେନ୍ଦ୍ରାପଡ଼ା- ଏଠାରେ କାକର୍ସ ଇଣ୍ଡିଆ ୫୬ କୋଟି ଟଙ୍କା ନିବେଶରେ ଏକ ୪-ତାରକା ହୋଟେଲ୍ ଖୋଲିବ।
ମୟୂରଭଞ୍ଜର- ଶିମିଳିପାଳରେ ହୋଟେଲ୍ ସୋନାର୍ ବାଙ୍ଗଲା ୫୧ କୋଟି ଟଙ୍କା ନିବେଶ କରିବ।
ରାୟଗଡ଼ା- ଇମ୍ଫା ସ୍ଥାପନ କରିବାକୁ ଯାଉଥିବା ଇଥାନଲ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି। ଏଥିରେ କମ୍ପାନି ୧୩୯.୯୦ କୋଟି ଟଙ୍କା ନିବେଶ କରିବ।
କଟକ- ଜୟ ଭାରତ ସ୍ପାଇସେସ୍ କଟକରେ ୫୦ କୋଟି ଟଙ୍କା ନିବେଶରେ ଏକ ମକାମଣ୍ଡ କାରଖାନା ସ୍ଥାପନ କରିବ। ଢେଙ୍କାନାଳ- ଇଣ୍ଡିଆନ ପଟାସ ଏକ ବଟଲିଂ କାରଖାନା ବସାଇବ।
ସମ୍ବଲପୁର: ରିଲାଏନ୍ସ ବାୟୋ ଏନର୍ଜି ସମ୍ବଲପୁରରେ ୧୨୧.୨୧ କୋଟି ଟଙ୍କା ନିବେଶରେ କମ୍ପ୍ରେସଡ୍ ବାୟୋ ଗ୍ୟାସ୍ କାରଖାନା ସ୍ଥାପନ କରିବ।
ସୁବର୍ଣ୍ଣପୁର- ରିଲାଏନ୍ସ ବାୟୋ ଏନର୍ଜି ସୋନପୁରରେ ମଧ୍ୟ ଏକ ରିଲାଏନ୍ସ ବାୟୋ ଏନର୍ଜି କାରଖାନା ସ୍ଥାପନ କରିବ।
ବରଗଡ଼- ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ବରଗଡ଼ରେ ୨୦୦ କୋଟି ଟଙ୍କା ନିବେଶରେ କମ୍ବ୍ରେସଡ୍ ବାୟୋଗ୍ୟାସ୍ କାରଖାନା ବସାଇବ।
ଅନୁଗୁଳ- ମୋଗ୍ଲି ଲ୍ୟାବ୍ ଅନୁଗୁଳରେ ୬୫ କୋଟି ଟଙ୍କା ନିବେଶ କରି ଆଲୁମିନିୟମ ତାର ତିଆରି କରିବ।
ଝାରସୁଗୁଡ଼ା- ମାଇକ୍ରୋଜମ୍ ରିଫ୍ରାମିନ୍ ୬୧ କୋଟି ଟଙ୍କା, ଯାଜପୁର- ନବନୀତ ମାର୍କେଟିଂ ୮୫.୧୪ କୋଟି ଟଙ୍କା, ଗଜାନନ ପ୍ରଭୁ ସ ପାଇପ୍ସ ୮୦ କୋଟି ଟଙ୍କା ନିବେଶ କରିବେ।
ଏଥି ସହିତ ସୂର୍ଯ୍ୟ ଇଣ୍ଟରନ୍ୟାସନାଲ୍ ଏଣ୍ଟରପ୍ରାଇଜେସ୍, ସନ୍ୟମ ଟାଇ-ଅପ୍, ଜିଏକେ ରାଇସ୍, ମା ଛିନ୍ନମସ୍ତା ଏନର୍ଜି, ଅମିତାଶ ହେଲ୍ଥକେୟାର ଓ ବେନ୍ ଗ୍ଲୋବାଲ୍ର ମଧ୍ୟ ଓଡ଼ିଶାରେ ନିବେଶ କରିବେ।
ସେପଟେ ଜେଏସଡବ୍ଲୁ ଗ୍ରୁପର ୪୦ ହଜାର କୋଟିର ଇଭି ଓ ବ୍ୟାଟେରୀ ପ୍ରୋଜେକ୍ଟ ଓଡ଼ିଶାରୁ ଓହରିବ ନାହିଁ। କମ୍ପାନୀ ଭୂମି ଅଧିଗ୍ରହଣ କଲେ କାମ ଆରମ୍ଭ କରିଦେବ। ଜେଏସଡବ୍ଲୁ ଓଡ଼ିଶାରୁ ଚାଲିଯିବା ନେଇ ବିଭିନ୍ନ ଗଣାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଜେଏସଡବ୍ଲୁର କର୍ପୋରେଟ୍ ଷ୍ଟ୍ରାଟେଜୀ କାର୍ଯ୍ୟକାରୀ ଉପାଧ୍ୟକ୍ଷ, ଅଫିସ୍ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜନ ନାୟକ କମ୍ପାନୀ ଓଡ଼ିଶା ଛାଡ଼ିବ ନାହିଁ ବୋଲି କହିଛନ୍ତି।
୨୦୨୪ ଫେବ୍ରୁଆରୀ ୧୦ ତାରିଖରେ ବିଜେଡି ସରକାର ସମୟରେ JSW ଓଡ଼ିଶାରେ ୪୦ ହଜାର କୋଟି ଟଙ୍କା ବିନିମୟରେ ଏକ ଇଲେକ୍ଟ୍ରିକ ଗାଡ଼ି ଓ ବ୍ୟାଟେରି ନିର୍ମାଣକାରୀ କାରଖାନା ବସାଇବା ନେଇ ଚୁକ୍ତି କରିଥିଲା। ଚୁକ୍ତି ଅନୁସାରେ, ଜେଏସଡବ୍ଲୁ କଟକ ନରାଜ ଠାରେ ଇଲେକ୍ଟ୍ରିକ ଯାନ ଓ ଏହାର ଉପକରଣ ତିଆରି ପାଇଁ ପ୍ଲାଣ୍ଟ ବସାଇବାକୁ ଯୋଜନା ରଖିଛି। ସେହିପରି ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ କମ୍ପାନୀ ତମ୍ବା ତରଳାଇବା ପ୍ଲାଣ୍ଟ ସହ ଲିଥିୟମ ରିଫାଇନାରୀ ପ୍ଲାଣ୍ଟ ବସାଇବ। ମୋଟ ୪୦ ହଜାର କୋଟିରେ କମ୍ପାନୀ୫୦ ଗିଗାୱଟ କ୍ଷମତାଯୁକ୍ତ ଇଭି ବ୍ୟାଟେରୀ ପ୍ଲାଣ୍ଟ, ଇଭି, ଲିଥିୟମ ରିଫାଇନାରୀ ଓ ତମ୍ବା ତରଳାଇବା ପ୍ଲାଣ୍ଟ ବସାଇବାକୁ ଯୋଜନା କରିଛି କମ୍ପାନୀ। ଏଥିରେ ୪ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଉଛି।