ମାଡି ଆସୁଛି ବାତ୍ୟା 'ତିତଲି' ; ଅବପାତ ନେଲା ଗଭୀର ଅବପାତର ରୂପ, ୧୮ଘଣ୍ଟା ମଧ୍ୟରେ ନେବ ବାତ୍ୟାର ରୂପ

Published By : Prameya-News7 Bureau | October 09, 2018 IST

ଭୁବନେଶ୍ବର ୯|୧୦: ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଏବେ ଅଧୀକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି । ଏହାସହ ଆନ୍ଧ୍ର ଏବଂ ଓଡିଶା ଉପକୂଳରେ ପ୍ରାକ୍ ବାତ୍ୟା ଆଲର୍ଟ ଜାରି ହୋଇଛି । ଏହି ଅବପାତ ଏବେ ଗୋପାଳପୁରଠାରୁ ୫୮୦ କିଲୋମିଟର ଏବଂ କଳିଙ୍ଗପଟନମ୍ ଠାରୁ ୫୬୦କଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦିଗରେ ଘଣ୍ଟାପ୍ରତି ୧୦କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୧୮ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ‘ତିତିଲି’ । ଏହାକୁ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୧୦ରେ  ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୧ ତାରିଖରେ ୧୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ୬୦ ରୁ ୮୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ବାତ୍ୟାକୁ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଆଜି ତିତିଲିର ସ୍ଥିତି ସ୍ପଷ୍ଟ ହେବ ବୋଲି ସ୍ପେଶାଲ ରିଲିଫ କମିଶନର କହିଛନ୍ତି । ଜରୁରୀକାଳୀନ କର୍ମଚାରୀ ଏବଂ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ।  ତେଣୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ସେପଟେ ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଲୁବାନ୍ ଏବେ  ଓମାନ୍ ଏବଂ ୟେମେନ୍ ଉପକୂଳ ଦିଗରେ ଗତି କରୁଛି । ଏହାର ପ୍ରଭାବରେ ଭାରତର ପଶ୍ଚିମ ଉପକୂଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.