ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଏସଓପି ଜାରି କରାଯାଇଛି : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
15/03/2023 at 3:21 PM

ଭୁବନେଶ୍ବର ୧୫।୩: ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବୈଷୟିକ ଜ୍ଞାନ କୌଶଳ କକ୍ଷ ପ୍ରତିଷ୍ଠା କରିଛନ୍ତି । ଟାସ୍କଫୋର୍ସ ଗଠନ କରିଯାଇଛି । ତାଙ୍କ ସୁପାରିଶ ଅନୁସାରେ ପଦକ୍ଷେପ ନିଆଯାଉଛି । ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସଓପି ଜାରି କରାଯାଇଛି । ଜିଲ୍ଲା ସ୍ତରରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାକୁ ଆକ୍ସନ ପ୍ଲାନ କରାଯାଇଛି ।
ନିଆଁ ଲିଭାଇବା ପାଇଁ ୩୯୯ ନିଆଁ ଲିଭାଳୀ ଦଳଙ୍କୁ ନିୟୋଜିତ କରାଯାଇଛି । ଗାଡି, ଫାୟାର ବ୍ଲୋୟର, ସୁରକ୍ଷା ଯନ୍ତ୍ରପାତି ଯୋଗାଇ ଦିଆଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି । ମାର୍ଚ୍ଚ ୧୩ ତାରିଖ ସୁଧା ଲାଗିଥିବା ୨୨୭୮୬ ନିଆଁ ଲାଗିଥିବା ପଏଣ୍ଟରୁ ୨୨୩୧୬ ପଏଣ୍ଟରେ ନିଆଁ ଆୟତ୍ତ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । ଏପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।
ସେପଟେ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତ, ଜଙ୍ଗଲରେ ଗଛ କାଟିବା ପାଇଁ ମାଫିଆମାନଙ୍କୁ ସହଯୋଗ କରୁଛନ୍ତି ବନ କର୍ମଚାରୀ । କମ୍ଫା ଫଣ୍ଡରେ ବନୀକରଣ କରାଯାଉଛି । ଆଦିବାସୀ ଲୋକଙ୍କ ପାଇଁ ବିଭିନ୍ନ ଫଳ, ଅନ୍ୟାନ୍ୟ ଗଛ ଲଗାଯାଉଛି । ଏ ଗଛ କ’ଣ ପ୍ରକୃତରେ ଲଗାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ରେଞ୍ଜରଠାରୁ ଆରମ୍ଭ କରି ଡିଏଫଓ ପର୍ଯ୍ୟନ୍ତ ଦୁର୍ନୀତିରେ ଲିପ୍ତ ଅଛନ୍ତି । ଜଙ୍ଗଲର ସୁରକ୍ଷା ଜଙ୍ଗଲ ବିଭାଗ ହାତରେ । ଯଦି ଶିମିଳିପାଳକୁ ସୁରକ୍ଷା ନ ଦିଆଯିବ ଦିନେ ଓଡିଶା ମରୁଭୂମିରେ ପରିଣତ ହେବ । ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ କେତେ ଜଣ ଗିରଫ ହୋଇଛନ୍ତି । କମ୍ଫା ଫଣ୍ଡରେ ଆସୁଥିବା ଟଙ୍କା ଗଛ ଲଗାଇବାରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାର ଉତ୍ତର ଗୃହରେ ରଖିବାକୁ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି ।