ସୋମବାର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌, ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ହିଂସାମୁକ୍ତ କରିବାକୁ ପ୍ରତିଶୃତିବଦ୍ଧ:ଡିଜିପି

Published By : Prameya-News7 Bureau | May 19, 2024 IST

ଭୁବନେଶ୍ବର୧୯/୫: ସୋମବାର ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ । ୫ ଲୋକସଭା ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ, ଆସ୍କା, କନ୍ଧମାଳ ଓ ୩୫ ଟି ବିଧାନସଭା ପାଇଁ ଭୋଟ ହେବ। ଏହା ପୂର୍ବରୁ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଖଲ୍ଲିକୋଟ ମର୍ଡର କେସରେ ୧୧ ଅଭିଯୁକ୍ତ ଗିରଫ ହୋଇଛନ୍ତି । SIT ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇଛି । ଆଇନଶୃଙ୍ଖଳା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ଓଡିଶା ପୋଲିସ । ସାରା ରାଜ୍ୟରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି ।

୧୧ଟି ଜିଲ୍ଲାରେ ଥିବା ୯ ହଜାର ୧୬୨ ପୁଲିଂ ବୁଥରେ ମତଦାନ ହେବ। ଏହା ମଧ୍ୟରେ ୫୫୬ ଟି ମାଓବାଦୀ ଇଲାକା ଭିତରେ ସମ୍ବେଦନଶୀଳ ବୁଥ ରହିଛି । ୩୩ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ। ଏହି ୧୧ ଟି ଜିଲ୍ଲାରେ ୬ ଶହ ୫୫ ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପେଟ୍ରୋଲିଂ ପାର୍ଟି । ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଅତିରିକ୍ତ ଏସ୍‌ପି ଦାୟିତ୍ବରେ ରହିବେ ।

ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ କାମ କରିବ । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୧ଟି ଜିଲ୍ଲା ସୀମାରେ ଥିବା ୪୮ ଟି ଚେକ ପୋଷ୍ଟରେ କଡାକଡି ଚେକିଂ ଚାଲିଛି। ସୀମାବର୍ତ୍ତି ଚେକ ପୋଷ୍ଟରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୫୭ଟି ଫ୍ଲାଇଁ ସ୍କ୍ବାଡ ବୁଲୁଛି। ଏହା ବ୍ୟତୀତ ୨୫୧ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍‌ ପରିଭ୍ରମଣ କରୁଛି । ଏହି ୧୧ଟି ଜିଲ୍ଲାରେ ୧୮ଟି ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି । ସେଠାରେ ମଧ୍ୟ ଇନର କର୍ଡନ ଦାୟିତ୍ବରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ବରେ ଓଡିଶା ପୋଲିସ ରହିବ । 

ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ପେଶାଲ ଅପରେସନ କରାଯାଇଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ପୋଲିସ ସହ ପୂର୍ବରୁ ଓଡିଶା ପୋଲିସ ଆଲୋଚନା କରିଛି । ଆଣ୍ଟି ନକ୍ସଲ ଅପରେସନକୁ ବ୍ୟାପକ କରାଯାଇଛି ।  ଅତିରିକ୍ତ ଡିଜି ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି। ସେ ବୌଦ୍ଧରେ କ୍ୟାମ୍ପ କରି ରହିଛନ୍ତି । ଏକ ଏୟାର ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ତୟାର ରହିଛି। ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୫୫୫ଟି ଆଣ୍ଟି ନକ୍ସଲ ଅପରେସନ ହୋଇଛି । ଆଚରଣ ବିଧି ଉଲ୍ଲଂଘନ ନେଇ ୯ଟି କେସ ହୋଇଥିବା ବେଳେ ସମୁଦାୟ ୪୮ଟି କେସ ରୁଜୁ ହୋଇଛି ।

ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ଏଯାଏ ୩୪ ହଜାର ୱାରେଣ୍ଟ ଇସ୍ୟୁ ହୋଇଛି। ୪ ହଜାର ପଳାତକଙ୍କ ବିରୋଧରେ ଲଟକା ଲାଗିଛି । ଦଫା ୧୦୭, ୧୦୯, ୧୧୦ ଜରିଆରେ ଅଭିଯୁକ୍ତଙ୍କୁ ଦମନ କରାଯାଇଛି। ଭୁବନେଶ୍ବର, କଟକରେ ୩ ଜଣଙ୍କୁ ତଡିପାର ଘୋଷଣା କରାଯାଇଛି ।  ୭ ଜଣଙ୍କୁ NSA ରେ ବୁକ କରାଯାଇଛି। ୨୩୬ ଜଣଙ୍କ ଠାରୁ ବେଆଇନ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି । ୩ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି । ଏ କେସରେ ୧୪ ଜଣଙ୍କୁ ଗିରଫ କରାଯାଇଛି । ୬ ଲକ୍ଷ ୪୧ ହଜାର ଲିଟର ମଦ ଜବତ କରାଯାଇଛି।  ୨୫ ହଜାରରୁ ଅଧିକ NDPS କେସ ହୋଇଛି। ୮୩୯ ହଜାର କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୫କେଜି ବ୍ରାଉନସୁଗର କରାଯାଇଛି । ସମୁଦାୟ ନିଶା ସାମଗ୍ରୀ ଜବତ ମୂଲ୍ୟ ଆନୁମାନିକ ୮୭ କୋଟି ହେବ । SST ପକ୍ଷରୁ ଚଢ଼ାଉ କରାଯାଇ ଗାଡି ଭିତରୁ ୫ କୋଟି ୬୮ ଲକ୍ଷ ଟଙ୍କା ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି । ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରାଯାଇ ଆପତ୍ତିଜନକ ପୋଷ୍ଟ ହଟାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କେସ ରୁଜୁ ହୋଇଛି। ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ।


You Can Read: ବିଜେପିରେ ମିଶିଲେ ସମୀର ରଞ୍ଜନ ଦାଶ : ସକାଳେ ଛାଡିଥିଲେ ଶଙ୍ଖ, ଏବେ ଧରିଲେ ପଦ୍ମ


  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.