ନୟାଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା
24/12/2022 at 1:06 PM

ନୟାଗଡ଼ ୨୪।୧୨ : ଦିନିକିଆ ନୟାଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଗସ୍ତ ଅବସରରେ ବିଭିନ୍ନ ଉନ୍ନୟମମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନୟାଗଡ଼ ସହର ଚାଲିଥିବା ଇକୋ ଟୁରିଜ୍ ବଲାଙ୍ଗି ପାର୍କ ମଧ୍ୟ ବୁଲି ଦେଇଛନ୍ତି ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ଷ୍ଟାଫ୍ କ୍ଵାର୍ଟର ନିର୍ମାଣ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଥିଲେ । ପରେ ସୁନାଲଟି ଠାରେ ଚାଲିଥିବା ୩୨୮ କୋଟିର କୁସୁମି ବ୍ୟାରେଜ ନିର୍ମାଣ ଏବଂ ଜଳସେଚନ କାର୍ଯ୍ୟର ସମୀକ୍ଷା କରିଛନ୍ତି । କୁସୁମି ବ୍ୟାରେଜ ନିର୍ମାଣ ଆସନ୍ତା ୫ମାସ ମଧ୍ୟରେ ଶେଷ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ।

ବିଶେଷକରି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ଏବଂ ଜିଲ୍ଲାର ସ୍ବପ୍ନ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ମଧ୍ୟ ହୋଇଛି। ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ନୟାଗଡ ଜିଲ୍ଲାର ୯୯ ଗ୍ରାମର ଜମି ଅଧିଗ୍ରହଣ ମଧ୍ୟରୁ ୯୮ ଗ୍ରାମର ଜମି ଅଧିଗ୍ରହଣ ସରିଛି । ଆଉ ଗୋଟିଏ ଗ୍ରାମର ଦୁଇ ଚାରିଦିନ ମଧ୍ୟରେ ଅଧିଗ୍ରହଣ ସରିବ ବୋଲି କହିଛନ୍ତି ।

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକର ବୃତ୍ତଙ୍ଗ ନଦୀରେ ସେତୁ ନିର୍ମାଣ ପାଇଁ ଫାଷ୍ଟ ଫେଜ୍ କ୍ଲିଅରାନ୍ସ ସମୟରେ ୩୦ଟି ସର୍ତ୍ତ ରହିଥିଲା । ସେଥିମଧ୍ୟରୁ ପ୍ରାୟ ସବୁ ସର୍ତ୍ତ ପୁରଣ ସରିଛି । ବାକି ଯାହା ବାକି ଅଛି ତାକୁ ସବୁ ପୁରଣ କରାଯାଇ ସେକେଣ୍ଡ ଫେଜ୍ ଫରେଷ୍ଟ କ୍ଲିଅରାନ୍ସ ପାଇଁ ପଦକ୍ଷେପ ନେବାକୁ ବ୍ୟବସ୍ଥା କରାଯିବ ।

ଏହାସହିତ ଶରଣକୂଳର ଝାଡେଶ୍ୱରୀ ମନ୍ଦିର ଓଡଗାଁ ରଘୂନାଥ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ସମୀକ୍ଷା ଏବଂ ପ୍ରକଳ୍ପ ପରିଦର୍ଶନ ସମୟରେ ବିଧାୟକ ଅରୁଣ ସାହୁ , ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।