ବାହାନଗା ରେଳ ଦୁର୍ଘଟଣାରେ ଯାଇଛି ୨୭୫ ଜୀବନ, କିଛି ମୃତଦେହକୁ ୨ଥର ଗଣା ହୋଇଥିଲା- ମୁଖ୍ୟ ଶାସନ ସଚିବ
4/06/2023 at 2:20 PM

ଭୁବନେଶ୍ୱର ୦୪।୦୬ : ବାହାନଗା ଟ୍ରେନ୍ ଟ୍ରାଜେଡି । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୫ । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କିଛି ମୃତଦେହ ଦୁଇ ଥର ଗଣା ହୋଇ ଯାଇଥିଲା । ଏବେ ଜିଲ୍ଲାପାଳଙ୍କ ଚୂଡାନ୍ତ ଲିଖିତ ତଥ୍ୟ ଅନୁଯାୟୀ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟରୁ ୭୮ ମୃତଦେହକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୧୦ ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ବାକି ୧୮୭ ଟି ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏଭିତରୁ ୧୭୦ଟି ମୃତଦେହ ଭୁବନେଶ୍ୱର ଅଣାଯାଇଛି । ବାକି ୧୭ଟି ମୃତଦେହ ଭୁବନେଶ୍ୱର ଅଣାଯାଉଛି ।
ସମସ୍ତ ମୃତଦେହକୁ ଚିହ୍ନଟ ପାଇଁ ଫଟୋ ଜାରି କରାଯାଇଛି । ସୂଚନା ଲାଗି ମୃତକଙ୍କ ପରିଜନ 1800-345-00-61 ଟ୍ରୋଲ ଫ୍ରି ନମ୍ବରରେ କଲ୍ କରିପାରିବେ । ସରକାରୀ ଅଫିସରମାନେ ସେମାନଙ୍କୁ ସାହାଯ୍ୟ କରିବେ । ହେଲପଲାଇନ୍ ନମ୍ବର 1929 କେବଳ ଓଡ଼ିଶା ଲୋକଙ୍କ ପାଇଁ ଜାରି କରାଯାଇଛି ।
ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ମୃତଦେହକୁ ଗନ୍ତବ୍ୟ ସ୍ଥଳକୁ ପଠାଯିବ । ୩୮୨ ଆହତ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
You Can Read :