କଂଗ୍ରେସକୁ ଲାଗିପାରେ ଡବଲ୍‌ ଷ୍ଟ୍ରୋକ୍, ଦଳ ଛାଡିପାରନ୍ତି ଚିରଞ୍ଜୀବ-ରଞ୍ଜୀବ ବିଶ୍ୱାଳ

Published By : Prameya-News7 Bureau | June 28, 2022 IST

ଜଗତସିଂହପୁର ୨୮।୦୬ : ରାଜ୍ୟ କଂଗ୍ରେସକୁ ଲାଗିପାରେ ଡବଲ୍‌ ଝଟ୍‌କା । ଗୋଟିଏ ପଟେ ଦଳ ସଜାଡିବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ତୁଙ୍ଗ ନେତା ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ଏହିକ୍ରମରେ ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା । ଏହି ଦୁଇ ଭାଇ କଂଗ୍ରେସ ଛାଡିବେ ବୋଲି ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିବା ବେଳେ ପୂର୍ବ ଅପେକ୍ଷା ଏଥର ଚର୍ଚ୍ଚା ଅଧିକ ଜୋର ଧରିଛି ।

ମିଳିଥିବା ସୂଚନାନୁସାରେ, କେବଳ ଏହି ଦୁଇ ଛାମୁଆ ନେତା ନୁହଁନ୍ତି । ବରଂ ଚିରଞ୍ଜୀବଙ୍କ ନେତୃତ୍ବରେ ଜଗତସିଂହପୁର ଜିଲାରୁ ତାଙ୍କର ଅନେକ ସମର୍ଥକ ତଥା  ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ , ପୂର୍ବତନ ପୌରାଧକ୍ଷ ମଧ୍ୟ ଦଳ ଛାଡିବେ ବୋଲି ଆଲୋଚନା ହେଉଛି । ଏଥି ନିମନ୍ତେ ଭିତିରି ଏକ ଯୋଜନା ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ କେଉଁ ମାନେ ଚିରଞ୍ଜୀବଙ୍କ ସହିତ ଦଳ ଛାଡିବେ ତାର ମଧ୍ୟ ଏକ ତାଲିକା ପ୍ରସ୍ତୁତ ସରି ଥିବା ଏକ ସୂତ୍ରରୁ ଜଣା ଯାଇଛି ।  ଅତି ନିକଟରେ ଏହା ବାସ୍ତବ ରୂପ ନେବ ବୋଲି ଆଭାସ ମିଳିଛି । ତେବେ ସେ କେଉଁ ଦଳରେ ଯୋଗ ଦେବେ ସେ ବାବଦରେ କିଛି ସ୍ପଷ୍ଟ ହୋଇ ନାହିଁ ।

ଅନ୍ୟପଟେ ଏବାବଦରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ, ସେ କହିଥିଲେ କି କଂଗ୍ରେସ ପ୍ରତି ସ୍ୱର୍ଗତ ବସନ୍ତ ବିଶ୍ବାଳଙ୍କର ଯେଉଁ ଅବଦାନ ଥିଲା ତାକୁ ଦୃଷ୍ଟିରେ ରଖି ତାଙ୍କର ପୁଅ ଭାବରେ ଚିରଞ୍ଜୀବ ଓ ରଞ୍ଜୀବ କଂଗ୍ରେସ ଛାଡିବା ଉଚିତ ହେବ ନାହିଁ ।  ତେବେ ଏସଂପର୍କରେ ଚିରଞ୍ଜୀବ କିମ୍ଵା ରଞ୍ଜୀବଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପିରିକି  କିଛି ଦିନ ହେବ ଚିରଞ୍ଜୀବ ବିଶ୍ୱାଳ ଅସୁସ୍ଥତା ଦର୍ଶାଇ ଜିଲ୍ଲାରେ ହେଉଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ଦଳୀୟ କର୍ମୀ ଓ ରାଜନୈତିକ ସମୀକ୍ଷକଙ୍କ ସନ୍ଦେହକୁ ଅଧିକ ଘନୀଭୂତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.