କେବିସିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ବିଶ୍ବକପ୍ରେ ସଫଳତା ପାଇଁ ଭାରତୀୟ ହକି ଟିମ୍କୁ ଜଣାଇଲେ ଶୁଭକାମନା
13/10/2018 at 12:28 PM

ଭୁବନେଶ୍ବର ୧୩|୧୦: ନଭେମ୍ବର ୨୭ରେ ଚତୁର୍ଦ୍ଦଶ ହକି ବିଶ୍ବକପ୍ । ଓଡିଶାର ରାଜଧାନୀ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ବକପ୍କୁ ନେଇ ଏବେ ହକି ପ୍ରେମୀଙ୍କ ଭିତରେ ଅନେକ ଉତ୍କଣ୍ଠା ଦେଖାଦେଇଛି। ଏହି ଭିତରେ ଏହାର ପ୍ରମୋସନ ବି ଖୁବ୍ ଜୋର୍ସୋର୍ରେ ଚାଲିଛି । ଜାତୀୟ ଟେଲିଭିଜନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସୋ’ ‘କୌନ୍ ବନେଗା କରୋଡ଼ପତି’ରେ ହକି ବିଶ୍ବକପକୁ ସଫଳ କରିବାକୁ କ୍ୟାମ୍ପେନ୍ କରିଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ।
ବିଶ୍ବକପ୍ ହକି ପୂର୍ବରୁ ‘କୌନ୍ ବନେଗା କରୋଡ଼ପତି’ରେ ସାମିଲ ହୋଇଥିଲେ ଭାରତୀୟ ହକି ଟିମର ସଦସ୍ୟ । ଏହାସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସୋ’ରେ ସାମିଲ ହୋଇଥିଲେ । ଅମିତାଭଙ୍କ ସହ ଆଲୋଚନା ସମୟରେ କେବିସିରେ ସାମିଲ ହୋଇଥିବା ହକି ଖେଳାଳିଙ୍କୁ ପ୍ରୋତ୍ସାହିତ ମଧ୍ୟ କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ୍ ସମୟରେ ହକି ଖେଳିଛନ୍ତି। କେବିସି ସୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ରୋଚକ ତଥ୍ୟ ରଖିଥିଲେ। ଏହି ଅବସରରେ ନବୀନ କହିଥିଲେ, ହକି କେବଳ ଓଡ଼ିଶାରେ ନୁହେଁ, ବରଂ ପୁରା ଦେଶରେ ଲୋକପ୍ରିୟ। ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଏହା ସବୁଠାରୁ ଅଧିକ ଲୋକପ୍ରିୟ। ଏଠାକାର ପିଲାମାନେ ଚାଲିବା ଶିଖିବା ସମୟରୁ ହିଁ ହକି ଖେଳିଥାନ୍ତି।
ସେହିପରି ଓଡିଶା ହକି ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ କାହିଁକି ଆଗ୍ରହୀ ପ୍ରଶ୍ନରେ ନବୀନ କହିଥିଲେ, ଯେହେତୁ ଏହା ଓଡିଶାର ଏକ ଲୋକପ୍ରିୟ ଖେଳ ତେଣୁ ଏହାକୁ ଆଗକୁ ନେବା ସହ ଆହୁରି ଲୋକପ୍ରିୟ କରିବାକୁ ବିଶ୍ବକପ୍ ଭଳି ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛୁ ଏବଂ ଭାରତୀୟ ହକି ଟିମକୁ ମଧ୍ୟ ସମର୍ଥନ କରୁଛୁ ।
ସେହିପରି ନବୀନ ସବୁଠାରୁ ଦୀର୍ଘ ସମୟ ଧରି କ୍ରମାଗତ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବା ନେଇ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ନବୀନ । ନବୀନ କହିଥିଲେ, ଲୋକଙ୍କ ପାଇଁ କରିଥିବା ବିକାଶମୂଳକ କାର୍ଯ୍ୟ ତାଙ୍କୁ ଏହି ସଫଳତା ଦେଇଛି । ୧୯୯୯ ମସିହା ମହାବାତ୍ୟା ପରେ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ମହାବାତ୍ୟାରେ ପ୍ରାୟ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲ । ତେଣୁ ତାଙ୍କ ସରକାର ବିପର୍ଯ୍ୟୟ ମୁକାବିଲା ନେଇ ସ୍ବତନ୍ତ୍ର ନୀତି ପ୍ରଣୟନ କରିଥଲା । ଫଳରେ ପରବର୍ତ୍ତୀ ସମୟରେ ହୋଇଥିବା ବାତ୍ୟାରେ କୌଣସି ଜୀବନ ହାନି ଘଟିନାହିଁ ବୋଲି ନବୀନ କହିଥିଲେ ।
ଆସନ୍ତା ନଭେମ୍ବରରେ ହେବାକୁ ଥିବା ବିଶ୍ବକପରେ ସଫଳତା ପାଇଁ ଭାରତୀୟ ଟିମକୁ ଶୁଭକାମନା ଜଣାଇଥିଲେ ନବୀନ ପଟ୍ଟନାୟକ । କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ହକି ବିଶ୍ବକପ ପାଇଁ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । କେବିସିରେ ଭାରତୀୟ ଟିମ୍ ଖେଳିବା ସହ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଥିଲେ ।