ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜବାବ: ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଅସୁସ୍ଥ ଥିଲେ ଗରମରେ ପ୍ରଚାର କରନ୍ତି ନାହିଁ

Published By : Prameya-News7 Bureau | May 29, 2024 IST

internet

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଯଦି ପ୍ରଧାନମନ୍ତ୍ରୀଙ୍କର ମୋ ସ୍ୱାସ୍ଥ୍ୟ ନେଇ ଚିନ୍ତା ଅଛି, ତେବେ ଜନସଭାରେ କହିବା ପୂର୍ବରୁ ମୋତେ ଫୋନ୍ କରି ମୋ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ଉଚିତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଁ ସୁସ୍ଥ ଅଛି। ନହେଲେ ଏତେ ଗରମରେ ମୁଁ ପ୍ରଚାର କରନ୍ତି ନାହିଁ ବୋଲି କହିଛନ୍ତି ନବୀନ।  

ଆଜି ଓଡ଼ିଶାରେ ଜନସଭାକୁ ସମ୍ବୋଧନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଟାର୍ଗେଟ୍ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି। ତାଙ୍କର ଯାଞ୍ଚ ହେବା ଦରକାର ବୋଲି ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀଙ୍କର ଏଭଳି ବୟାନ ପରେ ସାମ୍ବାଦିକ ସମ୍ମିଳନୀ କରି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ବର୍ଷ ହେଲା ଯେଉଁ ବିଜେପି ନେତାମାନେ ମୋ ସ୍ୱାସ୍ଥ୍ୟ ସମ୍ପର୍କର ଦିଲ୍ଲୀ ଓ ରାଜ୍ୟରେ ମିଛ ପ୍ରଚାର କରୁଛନ୍ତି। ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହେଁ ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗତ ମାସେ ହେଲା ମୋ ଦଳ ପାଇଁ ପ୍ରଚାର କରୁଛି। ଏହାପରେ ସାମ୍ବାଦିକ ପୁଣିଥରେ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଚାରିବାରୁ ନବୀନ କହିଥିଲେ ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ନହେଲେ ଖରାରେ ପ୍ରଚାର ପାଇଁ ଯାଇପାରନ୍ତି ନାହିଁ। ଯଦି ତାଙ୍କର କିମିଟି ଗଠନ କରିବାର ଅଛି ତେବେ ଯେଉଁମାନେ ମୋ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କ ବିଷୟରେ ଯାଞ୍ଚ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।   


ଓଡ଼ିଶାର ଦାବି କଥା ଉଠାଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଏସବୁ ଗୁଜବରେ ଧ୍ୟାନ ଦେବା ଅପେକ୍ଷା ଆମର କୋଇଲା ରୟାଲ୍ଟି ବଢ଼ାଇବା ସହ ଆମକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବା ବିଷୟରେ ଚିନ୍ତା କରନ୍ତୁ। କାରଣ ଆମେ ଦୀର୍ଘ ବର୍ଷ ହେଲା ଏହା ଦାବି କରି ଆସୁଛୁ। ଏହା ରାଜ୍ୟବାସୀଙ୍କ ପାଇଁ ଭଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.