ନବୀନ-କମଲ ହାସନ ଭେଟ : କେବଳ ସୌଜନ୍ୟତା ନା ରାଜନୈତିକ ଅଭିସନ୍ଧି ? ପଢନ୍ତୁ କଣ କହିଲେ ବିରୋଧୀ

Published By : Prameya-News7 Bureau | September 26, 2018 IST

ଭୁବନେଶ୍ବର ୨୬|୯: ଚେନ୍ନାଇରେ ନବୀନ-କମଳ ହାସନ ଭେଟଘାଟକୁ ନେଇ ରାଜନୀତି ଜୋର । କଟ୍ଟର ମୋଦି ବିରୋଧି କମଳ ହାସନ ନବୀନଙ୍କୁ ଭେଟିବା ପଛରେ କେବଳ ସୌଜନ୍ୟତା ଗୋଟିଏମାତ୍ର କାରଣ ନା ରାଜନୈତିକ ଉଦେଶ୍ୟ ଲୁଚିଛି ତାକୁନେଇ ଆରମ୍ଭ ହୋଇଛି ବିତର୍କ । ତାମିଲନାଡୁ ରାଜନୀତିରୁ ଜୟଲଳିତା ଓ କରୁଣାନିଧିଙ୍କ ବିଦାୟ ପରେ କମଳ ହାସନ ଯେଉଁ ଏମଏନଏମ ନାଁରେ ନୂଆଦଳ ଗଢି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ତାହା ଆଗକୁ ସେଠାରେ ବଡ ଆଞ୍ଚଳିକ ଦଳ ଭାବେ ଉଭା ହେବାକୁ ଯାଉଛି । ଏତିକି ବେଳେ କମଳ ହାସନ ନବୀନଙ୍କୁ ଭେଟି ରାଜନୀତି କଳା ଉପରେ ପରାମର୍ଶ ନେବା ଏବଂ ନବୀନଙ୍କର ସେ ବଡ ଫ୍ୟାନ ବୋଲି ଗଣ ମାଧ୍ୟମରେ କହିବା କଥାଟା ଅନେକ ରାଜନୈତିକ ଦଳକୁ ଖଟକା ଲାଗିଛି । କଥା ସେତିକିରେ ଅଟକି ନାହିଁ । ନବୀନ ରାଜନୀତିରେ ନୂଆ ବୋଲି ଦିନେ ଯେଉଁମାନେ କହୁଥିଲେ ଏବେ ନବୀନ ସେମାନଙ୍କଠାରୁ ବହୁ ଆଗକୁ ପଳେଇଛନ୍ତି ବୋଲି ହାସନ ପ୍ରଶଂସାରେ ପୋତି ପକାଇଛନ୍ତି । ଏଥିପାଇଁ ବିଭିନ୍ନ ସ୍କିମ ହିଁ ନବୀନଙ୍କ ସଫଳତା ପଛର ରହସ୍ୟ ବୋଲି ସେ କହିଛନ୍ତି । ନବୀନ ବି କମଳ ହାସନଙ୍କୁ ଏଥିପାଇଁ ଟୁଇଟକରି ଧନ୍ୟବାଦ ଦେଇଛନ୍ତି । ମୋଦି-ଶାହା ଓଡିଶା ଆସି ନବୀନଙ୍କ ଉପରେ ବର୍ଷିଥିଲେ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜେଡିର ଭୂମିକା ଉପରେ ଏହି ଦୁଇନେତା ନବୀନଙ୍କୁ ପ୍ରଶଂସା କରିବାର ଦିନକେଇଟା ପରେ ଚିତ୍ର ଓଲଟି ଯାଇଥିଲା। ଆଉ ତାର ଦୁଇଦିନ ପରେ ମୋଦି ବିରୋଧି ଏହି ଦୁଇ ନେତାଙ୍କ ଚେନ୍ନାଇରେ ଭେଟଘାଟ ପଛରେ ଏବେ କାରଣ ଖୋଜିବା ଆରମ୍ଭ କରିଦେଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । କଣ ମୋଦି ବିରୋଧି ପ୍ଲାଟଫର୍ମରେ ନବୀନ ପାଦ ଆଗକୁ ବଢାଉଛନ୍ତି କି ? ଏପ୍ରଶ୍ନ ବି ସାମ୍ନାକୁ ଆସୁଛି । ଯେହେତୁ ଏବେ ନିର୍ବାଚନ ଋତୁ ଆରମ୍ଭ ହୋଇଗଲାଣି ସେଥିପାଇଁ ସୁବିଧା ଦେଖି ନେତାମାନେ ବି ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖି ନିଷ୍ପତି ନେବା କିଛି ବଡକଥା ନୁହଁ । ଶୁଣନ୍ତୁ ନବୀନ-ହାସନ ଭେଟଘାଟ ପରେ କଣ ରାଜ୍ୟ୩ ପ୍ରମୁଖ ଦଳର ନେତା ନିଜ ନିଜ ଢଂଗରେ ମତ ରଖିଛନ୍ତି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ନବୀନଙ୍କ ସ୍ଥିତି ଦିୀନକୁ ଦିନ ଖରାପ ହେଇଯାଉଛି । ତେଣୁ ସ୍ଥିତି ବଂଚେଇବା ପାଇଁ ସେ ଗଧ ପାଦ ଧରିବାକୁ ମଧ୍ୟ ପଛଇବେ ନାହିଁ । ଅପରପକ୍ଷରେ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ, ନବୀନ କେତେବେଳେ କଣ କରୁଛନ୍ତି ବୁଝି ହେୁନି । କେତେବେଳେ ସେ ଧର୍ମ ନିରପେକ୍ଷତା କଥା କହୁଛନ୍ତି ତ କେତେବେଳେ ମୌଳବାଦୀଙ୍କ ସହ ରହୁଛନ୍ତି । ନିଜେ ନବୀନ କନଫ୍ୟୁଜ ଅଛନ୍ତି । ତେବେ ଏହି ଭେଟଘାଟର କୌଣସି ରାଜନୈତିକ ପ୍ରଭାବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଏହା କେବଳ ସୌଜନ୍ୟ ମୂଳକ ସାକ୍ଷାତ । ମୋଦି ବିରୋଧି କଂଗ୍ରେସ ଲେଡ୍ ମେଣ୍ଟକୁ ହଁ କି ନା କରିନାହାଁନ୍ତି ନବୀନ । ବିଜେପି ଓ କଂଗ୍ରେସ ଠାରୁ ସମଦୂରତା କଥା କହି ମଝିରେ ଚାଲିଛି ବିଜେଡି । କିନ୍ତୁ ନିର୍ବାଚନ ପରବର୍ତି କିଛି ବାଧ୍ୟବାଧକତା ଯେ ଏସବୁ ଗଣିତକୁ ଓଲଟପାଲଟ ନକରିବ ତାହା କୁହାଯାଇ ପାରିବନି । କାରଣ ରାଜନୀତିରେ ସବୁ ସମ୍ଭବ । ଆଞ୍ଚଳିକ ରାଜନିତୀରେ ପକ୍କା ଖେଳାଳି ନବୀନ ଯେ ସେକଥା ମୁଣ୍ଡରେ ରଖିନଥିବେ ତାହା କୁହାଯାଇ ପାରିବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.