ଭୁବନେଶ୍ବର ୧୩|୧୨: ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା ମୁଡ୍ ରେ ଅଛନ୍ତି ରାଜ୍ୟ ସରକାର । ସେ କୃଷି ଋଣ ଛାଡ ହେଉ କି କୃଷକଙ୍କୁ ପେନସନ ଦେବା, କିଛି ଗୋଟେ ଘୋଷଣା କରି ନିର୍ବାଚନ ପୂର୍ବରୁ କୃଷକଙ୍କ ମନ ଭଳେଇବା ଯୋଜନାରେ ଅଛନ୍ତି ସରକାର । ୩ ବିଜେପି ଶାସିତ ରାଜ୍ୟର ଫଳ ଏଥିପାଇଁ ରାଜ୍ୟ ସରକାରଙ୍କୁ ବାଧ୍ୟ କରିଛି । ନିର୍ବାଚନ ଫଳାଫଳ ପରେ ନବୀନ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ସେଥିରୁ ଏହି ସୂଚନା ମିଳୁଥିବା କୁହାଯାଉଛି ।
୩ ବିଜେପି ଶାସିତ ରାଜ୍ୟ ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତାଚ୍ୟୁତ ହେବାପରେ ନବୀନଙ୍କ ପ୍ରତିକ୍ରିୟା ହେଉଛି କୃଷକଙ୍କ ସମସ୍ୟା ସମାଧାନ ନହେବାରୁ ବିଜେପିର ଏଭଳି ଦଶା ହେଲା । ନବୀନଙ୍କ ଏହି ସଂକେତରୁ ଜଣା ପଡୁଛି ଯେ ଏଠି ବିଜେଡି ସରକାର ଚାଷୀଙ୍କୁ ଖୁସ୍ କରିବାକୁ କିଛି ପ୍ୟାକେଜ ଘୋଷଣା କରିବାକୁ ଯାଉଛନ୍ତି । କାରଣ ସମାନ ସମସ୍ୟା ବି ଓଡିଶାର ଚାଷୀ ସମ୍ମୁଖୀନ ହେଉଛନ୍ତି । ଚାଷୀ ଆନ୍ଦୋଳନ ଓଡିଶାରେ ବି ହେଉଛି । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାରିଆଡେ ଚାଷୀ ଆନ୍ଦୋଳନ ଚାଲିଛି। ଚାଷୀ ଆତ୍ମହତ୍ୟା ଠାରୁ ଆରମ୍ଭ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ବି ବିତର୍କ ଚାଲିଛି। ଏଭଳି ସ୍ଥିତିରେ କୃଷକଙ୍କ ପାଇଁ ଋଣ ଛାଡ କରି ହେଉ କିମ୍ବା ଚାଷୀଙ୍କୁ ପେନସନ ଦେଇ ହେଉ କିଛି ଗୋଟେ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ଏଥିପାଇଁ ଯେଉଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି ସେମାନେ ଚାଷୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଘୋଷଣା କଲେଣି କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ଼ହେବ।
ନିର୍ବାଚନ ଆଉ ମାତ୍ର ୩-୪ ମାସ ହାତରେ ଅଛି। ଏହା ଭିତରେ ଅନେକ କାର୍ଯ୍ୟକ୍ରମ ଘୋଷଣା କରିସାରିଲେଣି ନବୀନ ସରକାର । ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ ପାଇଁ ଘୋଷଣା ହୋଇଛି । ତେଣୁ ଖୁବ୍ ଶୀଘ୍ର ଚାଷୀଙ୍କ ପାଇଁ ନୂଆ ଘୋଷଣା ହେବ ବୋଲି ଚର୍ଚ୍ଚା ଚାଲିଛି ।