ବଜେଟ୍ ପାଇଁ ଲୋକଙ୍କ ମତାମତ ଲୋଡ଼ିଲେ ମୋହନ ସରକାର, ଜାରି ହେଲା ସ୍ୱତନ୍ତ୍ର ଓ୍ୱେବସାଇଟ୍

Published By : Prameya-News7 Bureau | June 19, 2024 IST

ଭୁବନେଶ୍ୱର: ବଜେଟ୍ ପ୍ରସ୍ତୁତ ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ଲୋଡ଼ିଲେ ମୋହନ ସରକାର। ଏଥି ପାଇଁ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଓ୍ବେବସାଇଟ୍, ଇମେଲ୍, ହ୍ବାଟସ୍ ଆପ୍ ନମ୍ବର । ସମାଜର ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ମତାମତକୁ ନେଇ ବଜେଟ୍ ପ୍ରସ୍ତୁତ କରିଥାଏ ଅର୍ଥ ବିଭାଗ । ତେବେ ଏଥର ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ଓ ପ୍ରସ୍ତାବ ଗ୍ରହଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୋହନ ସରକାରଙ୍କ ଅଭିନବ ପ୍ରୟାସ । ବଜେଟ୍ ପ୍ରସ୍ତୁତ ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ଲୋଡ଼ିଲେ ସରକାର । ସାଧାରଣ ଲୋକଙ୍କ ମତାମତ ଓ ପ୍ରସ୍ତାବ ପାଇଁ ଜାରି ହେଲା ସ୍ବତନ୍ତ୍ର ଓ୍ବେବସାଇଟ୍, ଇମେଲ୍, ହ୍ବାଟସ୍ ଆପ୍ ନମ୍ବର । ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢ଼ାଞ୍ଚାରେ ପରାମର୍ଶ ଆହ୍ବାନ୍ କରିଛନ୍ତି । ଯାହାକି ଓ୍ବେବ୍ ପୋର୍ଟାଲ https://budget.odisha.gov.in/ ରେ ଉପଲବ୍ଧ ରହିଛି । 

ସାଧାରଣ ଲୋକେ ବଜେଟ୍ ପାଇଁ ସେମାନଙ୍କ ପରାମର୍ଶ ଗୁଡ଼ିକୁ ଇ-ମେଲ୍ ଦ୍ବାରା [email protected]  ଠିକଣାରେ ପଠାଇପାରିବେ । ସେହିଭଳି ବଜେଟ୍ ସମ୍ବନ୍ଧୀୟ ମତାମତ ହ୍ବାଟସ୍ ଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ । ସରକାରଙ୍କ ତରଫରୁ ଜାରି ହୋଇଥିବା ହ୍ବାଟସ୍ ଆପ୍ ନମ୍ବର ହେଲା (+91)9438161111 ।  ସାମାଜିକ ଗଣମାଧ୍ୟମ X (@FdOdisha), Facebook (@FinanceOdisha) ଓ Instagram (@fdodisha)  ଦ୍ବାରା ମଧ୍ୟ ଲୋକମାନେ ବଜେଟ୍ ସମ୍ପର୍କିତ ସେମାନଙ୍କ ମତାମତ ଦେଇପାରିବେ । ବଜେଟ୍ ପ୍ରସ୍ତୁତ ଲାଗି ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ ପ୍ରକ୍ରିୟା  ଜୁନ୍ ୨୦ ଠାରୁ ଆରମ୍ଭ କରି ଜୁଲାଇ ୫ ପର୍ଯ୍ୟନ୍ତ ଚାଲିବ । 

ସାଧାରଣତଃ ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ନେଇ ବଜେଟ୍ର ପୂର୍ବ ପ୍ରସ୍ତୁତି କରି ଆସୁଛି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ । ହେଲେ ଏଥର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବର୍ତ୍ତମାନର ସରକାର ହେଉଛି ଲୋକଙ୍କ ସରକାର । ତେଣୁ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତ ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗୀତା ଭିତ୍ତିରେ କରାଯିବାର ଆବଶ୍ୟକତା ରହିଛି । 

 ଏମିତିରେ ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନେ ଏହି ସ୍ବତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.