ଜନ୍ମଦିନ ପୂର୍ବରୁ ନବୀନ୍‌ଙ୍କ ବଡ଼ ଘୋଷଣା, ସରିଲା ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ, ଏବେ ନିୟମିତ ନିଯୁକ୍ତି

Published By : Prameya-News7 Bureau | October 15, 2022 IST

ଭୁବନେଶ୍ୱର, ୧୫/୧୦: ଜନ୍ମଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଲାଗୁ ହୋଇଥିବା ଚୁକ୍ତି ଭିତ୍ତିକ ଚାକିରୀ ବ୍ୟବସ୍ଥା ଉଚ୍ଛେଦ କରିବା ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି ।

ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି ନବୀନ୍‌ କହିଛନ୍ତି । ଏଥିସହିତ ବର୍ତ୍ତମାନ ଚାକିରୀରେ ଥିବା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ଅଧିକ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଆସନ୍ତାକାଲି ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ବହୁ ବର୍ଷଧରି ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ନିଯୁକ୍ତିକୁ ନିୟମିତ କରିବା ପାଇଁ ଦାବି କରି ଆସୁଥିଲା ।

ଏନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପରସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା। ନିତି ଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ରାଜକୋଷ ଖାଲି ଥିଲା। ଅର୍ଥନୀତି ଉପରେ ବହୁତ ଚାପ ଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ବନ୍ୟା ବାତ୍ୟା ମରୁଡି ଲାଗି ରହିଥିଲା । ଗରିବୀ ବହୁ ଅଧିକ ଥିଲା । ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା।

ସେତେବେଳେ  ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ  ବହୁତ କଷ୍ଟକର ଥିଲା। ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ। ଏହା ମୋତେ ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ ?

ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି। ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ।  

୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ  ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି। ଆଜି ଓଡିଶା ଆତ୍ମବିଶ୍ବାସର ସହ ଆଗକୁ ବଢୁଛି । ସଶକ୍ତ ହେଉଛି। ଓଡିଶା ଇତିହାସର ଏହା ଏକ ସୁବର୍ଣ୍ଣ ମୂହୁର୍ତ୍ତ । ସରକାରୀ  କର୍ମଚାରୀମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଭଲ କାମ କରନ୍ତୁ। ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ । ଦାୟିତ୍ବ ପାଳନ କରିବାବେଳେ, ୫-ଟି ଉପକ୍ରମ – ଟିମ୍‌ ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍‌ସପ୍ୟାରେନ୍‌ସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ। ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.