ଓଡିଶା ବଜେଟ୍ ୨୦୨୩-୨୪: କୃଷି କ୍ଷେତ୍ର ପାଇଁ ୨୪,୮୨୯ କୋଟି ବ୍ୟୟବରାଦ, କାଳିଆ ଯୋଜନା ପାଇଁ ଏତିକି କୋଟି
24/02/2023 at 4:20 PM

ଭୁବନେଶ୍ଵର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ରାଜ୍ୟର ବିଭିନ୍ନ ସଫଳତା ବଖାଣିଛନ୍ତି ଅର୍ଥମନ୍ତ୍ରୀ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶା ମିଳିତ ଜାତିସଂଘ ଦ୍ଵାରା ପ୍ରଶଂସିତ ହୋଇଛି। ରାଜ୍ୟ କୋଭିଡ୍ ମୁକାବିଲାରେ ବିଶ୍ଵସନୀୟ ସଫଳତା ହାସଲ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ବିଧାନସଭାରେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ୍ରେ ୨୪,୮୨୯ କୋଟି ଟଙ୍କା ବ୍ୟବବରାଦ କରାଯାଇଛି। ଧାନସଂଗ୍ରହ ପାଇଁ ୨ ହଜାର କୋଟିର ରିଭଲିଂ ଫଣ୍ଡର ବ୍ୟବସ୍ଥା କରାଯାଇଛି। ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୩୮୧ କୋଟି , ଜାତୀୟ କୃଷି ଉଦ୍ୟାନ ମିଶନ ପାଇଁ ୧୨୧ କୋଟି, କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ସେହିପରି ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି, ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି, କୃଷି କ୍ଷେତ୍ରରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ପାଇଁ ସ୍ଵତନ୍ତ୍ର ବ୍ୟୟବରାଦ କରାଯାଇଛି। କୃଷି କ୍ଷେତ୍ରରେ ମହିଳା ଏସଏଚଜିଙ୍କୁ ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ବ୍ୟବରାଦ ହେବ। କୃଷି କ୍ଷେତ୍ରରେ ମହିଳା ଏସଏଚଜିଙ୍କ ପାଇଁ ୫ ବର୍ଷରେ ୩୬୭ କୋଟି ଟଙ୍କା ଖର୍ଚ୍ଚ ହେବ। ଛତୁ ମିଶନ ଏବଂ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ନଦୀ ଉପରେ ଚଳିତ ବର୍ଷ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ୍ ପ୍ରକଳ୍ପ ପାଇଁ ୮୫୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫୦୦ କୋଟି ଏବଂ ୨୦୨୫-୨୬ ସୁଦ୍ଧା ଅତିରିକ୍ତ ଏକ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪୦୦ କୋଟି, ଅଚଳ ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୧୯୧ କୋଟି ଟଙ୍କା ଅନୁମୋଦନ କରାଯାଇଛି।
ସେହିପରି ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧୀ ଲୁଣି ବନ୍ଧ ପ୍ରକଳ୍ପ ପାଇଁ ବଜେଟ୍ରେ ୯୬୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭୂମିହୀନ କୃଷକମାନଙ୍କୁ ଋଣ ପ୍ରଦାନ ପାଇଁ ବଳରାଜମ ଯୋଜନା ଆରମ୍ଭ କରାଯାଇଛି। ୧୨ ହଜାର ୩ ଶହ ୯୪ କୃଷକମାନଙ୍କୁ ୯୮ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି।କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି ଟଙ୍କା ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାପ୍ୟ ପ୍ରଦାନ ନିମନ୍ତେ ବଜେଟ୍ରେ ୬୦୦ କୋଟି ବ୍ୟୟବରାଦ କରାଯାଇଛି। ମିଲେଟ୍ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।