ଭୁବନେଶ୍ୱର ୨୮/୬ : ବିଧାନସଭାରେ ଆଜି ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୧ଲକ୍ଷ ୩୯ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ରାଜସ୍ବ ଆୟ ହେଲା ୧ଲକ୍ଷ ୧୫ହଜାର ୨୬୬କୋଟି ଟଙ୍କା । ଋଣ ଓ ଅନ୍ୟ ସୂତ୍ରରୁ ବାକି ୨୩ହଜାର ୭୩୪କୋଟି ଟଙ୍କା ଆଣିବେ ସରକାର । ତେବେ ରାଜ୍ୟର ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବଜେଟ୍ରେ କୃଷିକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । କୃଷି ବଜେଟ୍ରେ ମୋଟ ୨୦ହଜାର ୭୧୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
ଯେଉଁଥିରୁ କାଳିଆ ଯୋଜନାରେ ୭୫ଲକ୍ଷ ଚାଷୀଙ୍କ ପାଇଁ ୫୬ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଫନି କ୍ଷତିଗ୍ରସ୍ତ ଅଂଚଳର ପୁନରୁଦ୍ଧାର ପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି । ସେହିଭଳି ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯ହଜାର ୪୯୨କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ ସମଗ୍ର ଶିକ୍ଷା ଅଭିଯାନ ପାଇଁ ୨୫ଶହ ୫୦କୋଟି ରହିଛି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୬ହଜାର ୮୨୮କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଯେଉଁଥିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨ଶହ ୩କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ତେବେ ଏହା ଅନ୍ତର୍ଗତ ମହିଳାଙ୍କୁ ମିଳୁଥିବା ୭ଲକ୍ଷ ଟଙ୍କାର ବୀମାକୁ ୧୦ଲକ୍ଷକୁ ବୃଦ୍ଧି କରାଯାଇଛି ।
ପାନୀୟ ଜଳ ଯୋଗାଣ ବିଭାଗ ପାଇଁ ୫ହଜାର କୋଟି ଏବଂ ଏଥି ପାଇଁ କରାଯାଇଥିବା ସହରାଞ୍ଚଳରେ ୭୯୩ ପ୍ରୋଜେକ୍ଟ ପାଇଁ ୭୦୩କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଲାଗି ୪ହଜାର ୮୨୦କୋଟି ଟଙ୍କାର ପ୍ରାବଧାନ ରହିଛି । ଏଥିରେ ଫନି ପ୍ରଭାବିତ ଅଂଚଳ ଲାଗି ୫ଲକ୍ଷ ବିଜୁ ପକ୍କାଘର ଯୋଗାଇଦେବାକୁ ଯୋଜନା କରାଯାଇଛି । ଯାଗା ମିଶନ ପାଇଁ ୧୦୦କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଯେଉଁଥିରେ ଗରିବ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇଦେବେ ସରକାର ।
ମମତା ଯୋଜନା ପାଇଁ ୩୦୫କୋଟି । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ଯୋଜନା ପାଇଁ ୩୦୧କୋଟି ଟଙ୍କାର ବ୍ୟୟ ବରାଦ । ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ପାଇଁ ପାଇଁ ମୋଟ୍ ୩୪ଶହ ୫୭କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପାଇଁ ୪୧୧କୋଟି, ଗୃହ ବିଭାଗ ଲାଗି ୫ହଜାର ୨୯୮କୋଟି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଲାଗି ୧ହଜାର ୧୩୦କୋଟି, ଆଇନ୍ ବିଭାଗ ପାଇଁ ୪୪୦କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଅର୍ଥ ବିଭାଗ ଲାଗି ୨୭ହଜାର ୯୪୨କୋଟି, ପୁର୍ତ୍ତ ବିଭାଗ ପାଇଁ ୪ହଜାର ୪୯କୋଟି, ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ୧୬ହଜାର ୪୦୦କୋଟି ଟଙ୍କା ଖର୍ଚ୍ଚ ଯୋଜନା କରାଯାଇଛି । ସେହିଭଳି ଉଚ୍ଚଶିକ୍ଷା ବିଭାଗ ପାଇଁ ୨୩ଶହ ୭୫କୋଟି ବ୍ୟୟ ବରାଦ୍ ହୋଇଛି । ଗ୍ରାମ୍ୟ ଉନ୍ନୟନ ପାଇଁ ୫ହଜାର ୫୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଜଳ ସମ୍ପଦ ବିଭାଗ ପାଇଁ ୯ହଜାର ୭୧୩କୋଟି ବ୍ୟୟ ବରାଦ୍ କରାଯାଇଛି ।