ପ୍ରଥମ ଭାରତୀୟ ଭାବେ ଓଡ଼ିଶା ଜନ୍ମିତ ନ୍ୟୁରୋସର୍ଜନ ପାଇବେ ସମ୍ମାନଜନକ AANS ପୁରସ୍କାର, ଆମେରିକା ସୋସାଇଟି ପକ୍ଷରୁ ଘୋଷଣା

Published By : Prameya-News7 Bureau | August 26, 2021 IST

ଭୁବନେଶ୍ୱର, ୨୬/୦୮: ଭାରତ ପାଇଁ ଗର୍ବ ଆଣିଛନ୍ତି ଜଣେ ବିଶିଷ୍ଟ ତଥା ଓଡ଼ିଶାରେ ଜନ୍ମିତ ସ୍ନାୟୁ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ମିଶ୍ର । ସେ ସ୍ନାୟୁ ସର୍ଜରୀ କ୍ଷେତ୍ରରେ ଆନ୍ତର୍ଜାତିକ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପାଇବାକୁ ମନୋନିତ ହୋଇଛନ୍ତି । ଏ ନେଇ ଆମେରିକାନ ଆସୋସିଏସନ୍‌ ଅଫ୍‌ ନ୍ୟୁରୋଲୋଜିକାଲ୍‌ ବା AANS ପକ୍ଷରୁ ସୂଚନା ଦିଆଯାଇଛି । ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।        

ଶ୍ରୀ ମିଶ୍ର ଭୁବନେଶ୍ୱରର ମୂଳ ବାସିନ୍ଦା । ସେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ସାହିତ୍ୟିକ ବୈଦ୍ୟନାଥ ମିଶ୍ରଙ୍କ ପୁତ୍ର । ସେ ବର୍ତ୍ତମାନ ପିଡି ହିନ୍ଦୁଜା ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ସେଣ୍ଟର, ମୁମ୍ବାଇର ସ୍ନାୟୁ ଅସ୍ତ୍ରୋପଚାରର ବିଭାଗର ମୁଖ୍ୟ ଏବଂ ଗାମା କ୍ନାଇଫ୍‌ ରେଡିଓ ସର୍ଜରୀ ବିଭାଗର ମୁଖ୍ୟ ଅଛନ୍ତି । ଏହି ପୁରସ୍କାର ବାସ୍ତବରେ ନ୍ୟୁରୋସର୍ଜରୀ କ୍ଷେତ୍ରରେ ଭାରତର ଉଚ୍ଚମାନର ଚିକିତ୍ସା ସେବାର ଏକ ମାନ୍ୟତା ଅଟେ । ଚିକିତ୍ସା କ୍ଷେତ୍ରରେ ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଅଗ୍ରଗତି ଅତୁଳନୀୟ ଏବଂ ଡାକ୍ତର ମାନଙ୍କ ପରିଶ୍ରମର ଦୁନିଆରେ ଭାରତକୁ ସର୍ବୋତ୍ତମ କରିପାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ସେ କହିଛନ୍ତି ଯେ ଭାରତରେ ଯତ୍ନଶୀଳତା ବିଶ୍ୱ ସ୍ତରୀୟ ଏବଂ ଏହାକୁ ବହୁତ ଉଚ୍ଚ  ସ୍ଥାନ ପ୍ରଦାନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, "ଆମର ସର୍ବୋତ୍ତମ ଭିତ୍ତିଭୂମି, ଦକ୍ଷତା ଏବଂ ପ୍ରଯୁକ୍ତିବିଦ୍ୟା ଅଛି । ଏଥିସହିତ ନ୍ୟୁରୋସର୍ଜନମାନଙ୍କର ମଧ୍ୟ ବହୁତ ଅଭାବ ରହିଛି । ଦେଶରେ ପ୍ରାୟ ୨ହଜାର ନ୍ୟୁରୋସର୍ଜନ ବିଶେଷଜ୍ଞ ରହିଛନ୍ତି । ଯାହାକି ଭାରତ ଭଳି ଦେଶରେ ବହୁତ କମ୍‌ ।

ସେ ୨୦୧୮ ରେ ‘ପ୍ରତିଷ୍ଠିତ ମେଡିକାଲ୍ ପର୍ସନ୍’(ଭାରତର ସର୍ବୋଚ୍ଚ ମେଡିକାଲ୍ ଆୱାର୍ଡ) ବର୍ଗରେ ସମ୍ମାନଜନକ ଡ. ବିସି ରୟ ଜାତୀୟ ପୁରସ୍କାର ପାଇଛନ୍ତି । ସେ କମ୍ପ୍ୟୁଟର-ଗାଇଡ୍ ଆନିୟର୍ସମ୍ ସର୍ଜରୀ କରିବାରେ ବିଶ୍ୱର ପ୍ରଥମ ସର୍ଜନ୍ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.