ଦାଦନ ଖଟିବାକୁ ଯାଇ ମଧ୍ୟପ୍ରଦେଶରେ ଫସିଛନ୍ତି ୩୦ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ; ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

Published By : Prameya-News7 Bureau | November 23, 2018 IST

କଟକ ୨୩|୧୧:   ମଧ୍ୟପ୍ରଦେଶରେ ବନ୍ଧା ପଡିଛନ୍ତି ଦାଦନ ଶ୍ରମିକ । କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର  ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଦାଦନ ଖଟିବାକୁ ମଧ୍ୟପ୍ରଦେଶ ଯାଇଥିବା ବେଳେ ସେଠାରେ  ଫସି ରହିଛନ୍ତି । ସେଠାରେ ସେମାନଙ୍କୁ ନଜର ବନ୍ଦୀରେ ରଖାଯାଇ ଦିଆଯାଉଛି, ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି । ତୁରନ୍ତ ସେଠାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ ନରସିଂହପୁର  ବ୍ଲକ୍ ଅନ୍ତର୍ଗତ ସାଗର, ବାହାଳି, ପୁରୁକୁଟିଆ, ପାଞ୍ଚଗୋଛିଆ, ବୋକଡ଼ା, ନୂଆଗଡ, ଜୟପୁର ଆଦି ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ଜଣ ଦାଦନ ଖଟିବାକୁ ମଧ୍ୟପ୍ରଦେଶ ଯାଇଥିଲେ । ମଧ୍ୟ ପ୍ରଦେଶର ମିର୍ଜାପୁର ଜିଲ୍ଲାର  ପଦାରୀ ଥାନା ଅନ୍ତର୍ଗତ ପାହାଡ଼ ମୋହନପୁର ନିକଟରେ ଥିବା ଜିପିଟି ଇନଫ୍ରା ପ୍ରୋଜେକ୍ଟ କମ୍ପାନୀରେ କାମ କରୁଛନ୍ତି । ମାତ୍ର ସେହି ଅଞ୍ଚଳର ଠିକାଦାର ବାଲି କିଶନ ତିୱାରୀ ଓ ତାଙ୍କ ପୁଅ ନିରୋଜ ତିୱାରୀ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ମାନଙ୍କୁ ମାସକୁ  ୯ହଜାର ଟଙ୍କା ଦେବା ପାଇଁ କହି କାର୍ଯ୍ୟରେ ଲଗାଇଥିଲେ । ମାତ୍ର ପ୍ରାୟ ଚାରି ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କର ଦରମା ଟଙ୍କା ଦିଆଯାଉନାହିଁ । ଟଙ୍କା ମାଗିଲେ ସେମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି । ସେମାନଙ୍କୁ ନଜର ବନ୍ଦୀ କରି ରଖାଯାଇଛି । ଏପରି ଖାଇବା ପିଇବାକୁ ଠିକରେ ଦିଆଯାଉନାହିଁ । ମୋବାଇଲରେ କଥା ହେବା ପାଇଁ ମଧ୍ୟ ଦିଆଯାଉନାହିଁ । ଘରକୁ ଆସିବା ପାଇଁ ଚାହିଁଲେ ମଧ୍ୟ ଆସିବା ପାଇଁ ଦିଆଯାଉନାହିଁ । ବିଭିନ୍ନ ପ୍ରକାର ଧମକ ଚମକ ଦିଆଯାଉଛି । ବହୁ କଷ୍ଟରେ ଲୁଚିକି ଯୋଗାଯୋଗ କରିଥିଲେ ସେହି ଦାଦନ ଶ୍ରମିକ । ମାତ୍ର ସଂପୃକ୍ତ ଠିକାଦାର କଡା ନଜର ରଖିଥିବାରୁ କଥା ହେବା ମଧ୍ୟ ସମ୍ଭବ ହୋଇପାରୁନାହିଁ । ସେମାନେ ଲୁଚିକି ଆସିବାକୁ ଚାହୁଁଥିଲେ ମଧ୍ୟ ପାଖରେ ଟଙ୍କା ପଇସା ମଧ୍ୟ ନାହିଁ । ଶ୍ରମ ବିଭାଗ ଓ ରାଜ୍ୟ ସରକାର, ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ନିର୍ଯ୍ୟାତନାର ଶିକାର ହେଉଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.