ବିଧାନସଭା ଶୀତ ଅଧିବେଶନ : ବାରମ୍ବାର ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

Published By : Prameya-News7 Bureau | November 20, 2018 IST

ଭୁବନେଶ୍ବର ୨୦|୧୧:  ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନରେ ଆଜି ମଧ୍ୟ ଆରମ୍ଭରୁ ଗୃହକାର୍ଯ୍ୟ ଅଚଳ ହୋଇପଡିଛି । ବାରମ୍ବାର ହଟ୍ଟଗୋଳ ଯୋଗୁଁ ଆପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ଜୋରଦାର ହଟ୍ଟଗୋଳ କରିଥିଲେ । ବାଚସ୍ପତି ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଥିଲେ । ଗୃହକାର୍ଯ୍ୟ ଆରମ୍ଭରୁ ମାତ୍ର ୫ ମିନିଟ୍  ପାଇଁ ଚାଲିପାରିଥିଲା। ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇଥିବା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଣିଥିବା ଅଭିଯୋଗକୁ ପ୍ରସଙ୍ଗ କରି ବିଜେପି ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ। ପୂର୍ବରୁ ବିରୋଧୀ ଦଳ ନେତା ଥିବା ଭୂପିନ୍ଦର ସିଂହଙ୍କ ସହିତ ଶାସକ ଦଳର ଯେଉଁଭଳି ଡିଲ୍ ହୋଇଥିଲା ସେହି ଢଙ୍ଗରେ ଏବେ ମଧ୍ୟ ଡିଲ୍ ଚାଲିଛି ବୋଲି କୃଷ୍ଣଚନ୍ଦ୍ର ସଗରିଆ ଅଭିଯୋଗ ଆଣିଥିଲେ। ଏହାକୁ ପ୍ରସଙ୍ଗ କରି ବିଜେପି ସଦସ୍ୟ ମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ଜୋରଦାର ହୋହଲ୍ଲା ଓ ନାରାବାଜି କରିବାରୁ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡିଥିଲା। ଶେଷରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି । ଅଚଳାବସ୍ଥା ଦୂର କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷ୍ଣଚନ୍ଦ୍ର ସଗରିଆଙ୍କ ବୟାନକୁ କେନ୍ଦ୍ର କରି ଆଜି ହୋହଲ୍ଲା ଚରମ ସ୍ତରରେ ପହଞ୍ଚିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.