ଜୁଲାଇ ୩୧ ଯାଏଁ ବିଧାନସଭା ବନ୍ଦ, ୫ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବାଚସ୍ପତି ନେଲେ ନିଷ୍ପତ୍ତି

Published By : Prameya-News7 Bureau | July 24, 2020 IST

ଭୁବନେଶ୍ବର ୨୪।୭: ଜୁଲାଇ ୩୧ ପର୍ଯ୍ୟନ୍ତ ବିଧାନସଭା ବନ୍ଦ । ବିଧାନସଭାରେ ୫ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ବିଧାୟକ ସୁକାନ୍ତ ନାୟକ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଅନ୍ୟ କର୍ମଚାରୀମାନଙ୍କର କରୋନା ଟେଷ୍ଟ କରାଯାଇଥିଲା । ଗୁରୁବାର ଦିନ ସେମାନଙ୍କ ମଧ୍ୟରୁ ୫ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାପରେ ବିଧାୟକ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ଲୋକସେବା ଭବନରେ ଏବେ କରୋନା ଭୟ । କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଛି । କରୋନା ଲଢେଇରେ ଲୋକସେବା ଭବନର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହାକୁ କିପରି ନିୟନ୍ତ୍ରଣ କରାଯିବ, ସେଥିପାଇଁ ସରକାର ତନାଘନା ଆରମ୍ଭ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି ଲେଖାଯାଇ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାଗିଦ୍ କରାଯିବା ସହ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।

ଯେଉଁଥିରେ ରହିଛି ଯେ, କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ସଂପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ଗୃହ ସଙ୍ଗରୋଧ କିମ୍ବା କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା ଯୋଗାଯିବ। ବିଏମ୍‌ସିର ଟିମ୍‌ ଦ୍ବାରା ତୁରନ୍ତ କଣ୍ଟାକ୍ଟ ଟ୍ରେସିଂ କରାଯିବ। କାର୍ଯ୍ୟାଳୟକୁ ବିଶୋଧନ କରାଯିବ । ଯଦି କାର୍ଯ୍ୟାଳୟରେ ଜଣେ କିମ୍ବା ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବେ, ତେବେ ଗତ ୪୮ ଘଣ୍ଟାରେ ସଂପୃକ୍ତ କର୍ମଚାରୀ କାର୍ଯ୍ୟାଳୟର ‌ଯେଉଁ ଯେଉଁ ଜାଗାରେ ବୁଲିଥିବେ ତାହାକୁ ବନ୍ଦ କରାଯିବ।

କିନ୍ତୁ ପୁରା କାର୍ଯ୍ୟାଳୟର କୋଠାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ତେବେ ଅଧିକ ସଂଖ୍ୟ‌ାରେ କରୋନା ପଜିଟିଭ୍ ଚିହ୍ନଟ ହେବ, ତେବେ ପୂରା କୋଠାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇ ବିଶୋଧନ କରାଯିବ। ସେହି ସମୟରେ କର୍ମଚାରୀମାନେ ଘରୁ କାମ କରିବେ। ପୂରା କୋଠାକୁ ଠିକ୍ ଭାବେ ବିଶୋଧନ ହେଲା ପରେ ସେମାନେ କାର୍ଯ୍ୟାଳୟକୁ ଫେରିବେ। ମାସ୍କ, ହାତ ଧୋଇବା ଓ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ କାର୍ଯ୍ୟାଳୟରେ ପାଳନ କରିବାକୁ କୁହାଯାଇଛି। ଲୋକସେବା ଭବନ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଏହି ମାର୍ଗଦର୍ଶିକା ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.