WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଚସ୍ପତି ନିର୍ବାଚନ : ଗୁରୁବାର ନାମାଙ୍କନ ଦାଖଲ, ଶୁକ୍ରବାର ଭୋଟିଂ

21/09/2023 at 8:46 AM

Odisha Assembly

ଭୁବନେଶ୍ୱର ୨୧।୦୯ : ବିଜେଡି ଖେଳିଲା ମହିଳା କାର୍ଡ । ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ଓଡିଶା ବିଧାନସଭାର ବାଚସ୍ପତି ଆସନରେ ଜଣେ ମହିଳାଙ୍କୁ ବସାଇବାକୁ ନିଷ୍ପତ୍ତି ନେଇଛି ବିଜେଡି । ଖାଲି ପଡିଥିବା ବାଚସ୍ପତି ପଦବୀ  ପାଇଁ ରାଜସ୍ୱ ମନ୍ତ୍ରୀ  ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଧାନସଭାରେ ବର୍ତ୍ତମାନର ଗଣିତ ଅନୁଯାୟୀ, ପ୍ରମିଳା ନିଦ୍ୱନ୍ଦରେ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ । ସ୍ୱାଧୀନତା ପରେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହୋଇପାରନ୍ତି ପ୍ରମିଳ ମଲ୍ଲିକ ।

ତେବେ ଗୁରୁବାର ବାଚସ୍ପତି ପଦବୀ ପାଇଁ ପ୍ରମିଳା ନାମାଙ୍କନ ଦାଖଲ କରିବେ । ୨୨ (ଶୁକ୍ରବାର)ତାରିଖରେ ହେବ ନିର୍ବାଚନ । ଅନ୍ୟ କେହି ପ୍ରାର୍ଥୀ ହେବା ସମ୍ଭାବନା ନଥିବାରୁ ପ୍ରମିଳା ନିନ୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହେବା ନିଶ୍ଚିତ । 

ସେପଟେ ଏହି ଖବର ମିଳିବା ପରେ ଖୁସି ପ୍ରକାଶ କରିଛନ୍ତି ପ୍ରମିଳା । ସେ କହିଛନ୍ତି, ମୁଁ ବହୁତ ଖୁସି । ମୁଖ୍ୟମନ୍ତ୍ରୀ ମୋ’ ଉପରେ ଭରସା କରିଥିବାରୁ ଧନ୍ୟବାଦ । ନିଶ୍ଚିତ ଭାବେ ଏ ଗୁରୁ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବି । ସବୁ ଦଳ ଓ ସଦସ୍ୟଙ୍କୁ ନେଇ ନିରପେକ୍ଷ ଭାବେ କାର୍ଯ୍ୟ କରିବି । ଗୃହ କାର୍ଯ୍ୟକୁ ସୁଚାରୂ ଭାବେ ତୁଲାଇବା ନେଇ ସମସ୍ତେ ସହଯୋଗ କରିବେ ବୋଲି ଆଶା ରହିଛି ।

ସୂଚନାଯୋଗ୍ୟ ଯେ, ଗତ ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ପରେ ସେ ମନ୍ତ୍ରୀ ହେଲେ । ସେବେଠାରୁ ବାଚସ୍ପତି ଆସନ ଖାଲି ରହିଛି । ଏହି ଆସନ ନେଇ ବହୁ କଳ୍ପନାଜଳ୍ପନା କରାଯାଉଥିଲା । କିଛି ବରିଷ୍ଠ ସଦସ୍ୟଙ୍କ ସହ ଜଣେ ୨ଜଣ ମହିଳା ବିଧାୟକଙ୍କ ନାଁ ବି ଚର୍ଚ୍ଚାରେ ଥିଲା । ମାତ୍ର ଲମ୍ବା ବ୍ୟବଧାନ ପରେ ମନ୍ତ୍ରୀମଣ୍ଡଳକୁ ଫେରିଥିବା ପ୍ରମିଳାଙ୍କୁ ବାଚସ୍ପତି ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭିଙ୍କୁ ଚକ୍‌ମା ଦେଇଛନ୍ତି । ପ୍ରମିଳା ବର୍ତ୍ତମାନ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଅଛନ୍ତି । 

ଯାଜପୁର ଜିଲ୍ଲାର ଏହି ଟାଣୁଆ ନେତ୍ରୀ ବିଞ୍ଝାରପୁର ଆସନରୁ ୧୯୯୦ରୁ ଏଯାବତ୍‌ ୬ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ପ୍ରମିଳା ପ୍ରଥମ ଥର ଜନତା ଦଳ ଟିକଟରେ ଜିତିଥିଲେ । ୨୦୦୦ରୁ ସେ ବିଜେଡି ଟିକଟରେ ଜିତି ଆସୁଛନ୍ତି । ପୂର୍ବରୁ ସେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ନବୀନଙ୍କ ପଞ୍ଚମ ପାଳି ସରକାରରେ ପ୍ରମିଳା ସରକାରୀ ଦଳର ମୁଖ୍ୟ ସଚେତକ ପଦବି ସମ୍ଭାଳିଥିଲେ ।

ଗତବର୍ଷ ଜୁନ୍‌ରେ ସମ୍ପୂର୍ଣ୍ଣ ମନ୍ତ୍ରୀମଣ୍ଡଳର ରୂପରେଖ ବଦଳିଥିଲା । ଏହି ସମୟରେ ପ୍ରମିଳା ପୁଣି ମନ୍ତ୍ରୀମଣ୍ଡଳକୁ ଫେରିଥିଲେ । ସଂଗଠନରେ ବି ପ୍ରମିଳାଙ୍କ ବେଶ୍‌ ପ୍ରଭାବ ରହିଛି । ବିଜେଡି ମହିଳା ସଂଗଠନର ସଭାନେତ୍ରୀ ଦାୟିତ୍ୱ ମଧ୍ୟ ବେଶ୍‌ ଦକ୍ଷତାର ସହ ତୁଲାଇଛନ୍ତି । ପ୍ରମିଳା ନିନ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ପାଇବେ । ପ୍ରାକ୍‌ସ୍ୱାଧୀନତା କାଳରେ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ବିଧାନସଭାକୁ ନିର୍ବାଚିତ ହୋଇଥିବା ସରଳା ଦେବୀ ସ୍ୱଳ୍ପ କାଳ ପାଇଁ ବିଧାନସଭାର ବାଚସ୍ପତି ହୋଇଥିଲେ । 

   Related Posts