ଫେବ୍ରୁଆରୀ ୪ରୁ ବିଧାନସଭା ଅଧିବେଶନ

Published By : Prameya-News7 Bureau | January 14, 2019 IST

ଭୁବନେଶ୍ବର ୧୪|୧:  ଫେବ୍ରୁଆରୀ ୪ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରୀ ୪ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୨ପର୍ଯ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ । ଏହି ଅଧିବେଶନରେ ସ୍ବତନ୍ତ୍ର ଅତିରିକ୍ତ ବଜେଟ୍ ଆଗତ ହେବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ସରକାରଙ୍କ ଶେଷ ଅଧିବେଶନ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଯେହେତୁ ଏହି ସରକାରଙ୍କ ଶେଷ ଅଧିବେଶନ ତେଣୁ ବିରୋଧୀମାନେ ଏହି ଅଧିବେଶ କାଳରେ ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ କରିବେ । ସରକାର ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି । ଏହି ସବୁ ଘୋଷଣା ବାବଦରେ ବିରୋଧୀ ଦଳ ସରକାରଙ୍କୁ ଘେରିବା ସହ ଜବାବ ମାଗିବ । ଅପରପକ୍ଷରେ ନିର୍ବାଚନ ସରି ନୂଆ ସରକାର ଗଠନ ହେଲା ବେଳକୁ ମେ ମାସ ହୋଇଯାଇଥିବ । ତେଣୁ ସରକାର କେବଳ ଆଗାମୀ ତିନି ମାସ ପାଇଁ ହିଁ ଏହି ଅଧିବେଶନ ବେଳେ ବଜେଟ୍ ଆଗତ କରିପାରିନ୍ତି ।

ସରକାର ଯେହେତୁ ଇତିମଧ୍ୟରେ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି ସେଥିପାଇଁ ଆସନ୍ତା ବଜେଟ୍ ରେ ପାଣ୍ଠି ବ୍ୟବସ୍ଥା କରିବେ । ରାଜ୍ୟର ଆର୍ଥିକ ସ୍ଥିତିକୁ ବିଚାରକୁ ନେଲେ ଏହା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ମଧ୍ୟ ହେବ । କେବଳ ସେତିକି ନୁହେଁ ଚାଷୀ ପ୍ରସଙ୍ଗଠାରୁ ଆରମ୍ଭ କରି ପିପିଲି ବେବିନା ଦୁଷ୍କର୍ମ ଓ ହତ୍ୟା ଘଟଣା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଏଥରର ବିଧାନସଭା ଅଧିବେଶନକୁ ସରଗରମ କରିବ । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଶାସକ ଓ ବିରୋଧୀ କେହି କାହାକୁ ଛାଡିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.