ଭୁବନେଶ୍ବର ୫।୫: ରାଜ୍ୟରେ କୋରୋନା ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଏବଂ ଏହାସହ ଜଡିତ ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ବିଭିନ୍ନ ପ୍ରସଙ୍ଗ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରବାସୀ ଓଡିଆଙ୍କ ଫେରିବା ନେଇ ବଡ ନିଷ୍ପତ୍ତି ନିଆଯାଇଛି । ସୁରତରୁ ପ୍ରବାସୀ ଓଡିଆ କେବଳ ଟ୍ରେନ୍ରେ ଫେରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଟ୍ରେନ୍ରେ ଫେରିବା ନେଇ ପ୍ରବାସୀ ଓଡିଆଙ୍କୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଦୁର୍ଘଟଣା ସହ ବିଭିନ୍ନ ସମସ୍ୟା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେହିପରି ବିଦେଶ ଫେରନ୍ତାଙ୍କ ପାଇଁ ଆଇସୋଲେସନ ଏବଂ କ୍ବାରେଣ୍ଟାଇନ୍ ବାଧ୍ୟତମୂଳକ ।
ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଛନ୍ତି ପ୍ରବାସୀ ଓଡିଆ। ତେବେ ସେମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଟ୍ରେନ୍ ଏବଂ ବସ୍ ଯୋଗେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡିଆମାନେ ରାଜ୍ୟକୁ ଫେରୁଛନ୍ତି । ତେବେ ସୁରତ ଫେରନ୍ତା କେବଳ ଟ୍ରେନ୍ ରେ ଫେରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୁରତରୁ ଓଡିଶାକୁ ଦୀର୍ଘ ରାସ୍ତା ଫେରିବା ବେଳେ ଖାଇବା ପିଇବାରେ ଅସୁବିଧା ହେଉଛି । ଅଂଶୁଘାତ, ଦୁର୍ଘଟଣା ଭଳି ସମସ୍ୟା ଦେଖାଦେଇଛି । ମହିଳା ଏବଂ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରତରୁ କେବଳ ଟ୍ରେନ୍ ଯୋଗେ ଫେରିବା ପାଇଁ ସରକାର ଅନୁମତି ଦେବ ।