ଭୁବନେଶ୍ବର ୧୮/୧୧ : କରୋନା ମହାମରୀ ସହିତ ସାରା ବିଶ୍ବ ଜୁଝୁଛି । ଏଭଳି ସ୍ଥିତିରେ ବିଦେଶରେ ରହୁଥିବା ଜଣେ ଓଡିଆ କରୋନା ଆକ୍ରାନ୍ତ ହେବା ପରେ, ପରିବାର ଲୋକ ତଥା ଓଡିଶା ମାଟି ପାଇଁ ଭାବ ବିହ୍ବଳ ମେସେଜ ଲେଖିଛନ୍ତି । ସିଂହାପୁରରେ ଫୁଡ୍ ଏମ୍ପାୟାର ହୋଲ୍ଡିଂ ଲିମିଟେଡ୍ କମ୍ପାନୀର ନିର୍ଦେଶକ ଥିବା ସତ୍ୟ ସୁତାର ବିଦେଶରେ ଥାଇ ମଧ୍ୟ ସବୁବେଳେ ନିଜ ରାଜ୍ୟ ପାଇଁ କିଛି ନା କିଛି କରିବା ପାଇଁ ପ୍ରୟାସ କରିଛନ୍ତି । ଓଡିଆ ଭାଷା ତଥା ଏହାର ପ୍ରଚାର ପ୍ରସାର ସହିତ ଦରିଦ୍ର ଏବଂ ଅସହାୟଙ୍କ ପାଇଁ କିଛି ନା କିଛି କରିବାକୁ ସର୍ବଦା ପ୍ରଚେଷ୍ଟା କରିଥାନ୍ତି । ଏବେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।
ସରକାରଙ୍କୁ ଅନୁରୋଧ କରି ସତ୍ୟ ଲେଖିଛନ୍ତି, ‘ବେଳେ ବେଳେ ଜୀବନର ସବୁ ଆଶା ଓ ଆକାଂକ୍ଷା ବି ପୂରଣ ହୋଇ ପାରେନି । ମୋତେ ବାସ୍ତବବାଦୀ ବି ହେବାକୁ ପଡିବ। ମୁଁ ଯଦି ବିଦେଶରେ ମରିଯାଏ । ଭାରତ ସରକାରଙ୍କୁ ଅନୁରୋଧ ମୋ ମୃତଦେହର କଫିନକୁ ଓଡିଶା ଆଣିବେ । ଯେତେ ଡେରି ହେଉନା କାହିଁକି, ସପ୍ତାହ, ମାସ, ବର୍ଷ, ମୁଁ ସେମିତି ମୃତ ଅବସ୍ଥାରେ କଫିନ ଭିତରେ ଅପେକ୍ଷା କରିଥିବି । ମୋ ଗାଁ ର ନଦୀ କୂଳ ସ୍ମଶାନରେ ପୋଡା ହେବା ପାଇଁ। ମୋ ଓଡିଶା ମାଟିରେ।
ପରିବାର ଉଦ୍ଦେଶ୍ୟରେ ସେ ଲେଖିଛନ୍ତି, ‘ବୋଉ ତୁ ତ ଜାଣୁ ବିଦେଶରେ ଚାକିରୀ କରି ଏ ଭିତରେ କିଛି ଟଙ୍କା ସଞ୍ଚୟ କରିଛି ବ୍ୟାଙ୍କରେ । ତୁ ସେ ସବୁ ଟଙ୍କାର ନୋମିନି ବି ଅଛୁ । ମୋ ମୃତଦେହ ବିଦେଶରୁ ଆଣିବା ଖର୍ଚ୍ଚକୁ ସରକାରଙ୍କୁ ସେଇଠୁ ଫେରେଇ ଦେବୁ। ବାକି ଟଙ୍କା ଅଧା ଘର ପାଇଁ ଓ ବାକି ଅଧା ଟଙ୍କାର ବାର୍ଷିକ ସୁଧରେ ପ୍ରତ୍ୟେକ ବର୍ଷ ମ୍ୟାଟ୍ରିକ ଟପରଙ୍କୁ ଉତ୍କଳମଣି ଗୋପବନ୍ଧୁ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି ବାବଦ ଲକ୍ଷେ ଟଙ୍କା ପୁରସ୍କାର ଦେବୁ। ଯେବେ ଓଡ଼ିଶାରେ କେହି ବିରଳ ସାହାସିକତା ପରିପ୍ରକାଶ କରି ଅନ୍ୟକୁ ବଞ୍ଚାଇଲେ ତାଙ୍କୁ ନେତାଜୀ ସୁଭାଷ ବୋଷ ସାହାସୀ ସମ୍ମନ ସହିତ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବୁ। ବଳକା ବାର୍ଷିକ ସୁଧ ଟଙ୍କାରେ ୧୯ଜଣ ଜଣ ମ୍ୟାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଆକାରରେ ଓଡ଼ିଶାର ମହାପୁରୁଷଙ୍କ ନାମରେ ନାମକରଣ କରାଇ ପଚାଶ ହଜାର ଟଙ୍କା ପ୍ରତ୍ୟେକ ବର୍ଷ ପ୍ରଦାନ କରିବୁ। ଯେଉଁ ମାତୃଭୂମୀର କୋଳରେ ଜନ୍ମ ହୋଇଥିଲି, ଯାହାର ପାଣି ପବନରେ ବଡ ହୋଇଥିଲି, ତା ପାଇଁ ଏ ପର୍ଯ୍ୟନ୍ତ କିଛି କରି ପାରିନି। ମୋ ମାତୃଭୂମୀର ପ୍ରତ୍ୟେକ ବର୍ଷ କୋଡିଏ ଜଣ ଛାତ୍ରଛାତ୍ରୀଙ୍କର ଉଚ୍ଚ ଶିକ୍ଷା ପାଇଁ କିଛି ମାତ୍ରାରେ ଏ ରାଶି ସହଯୋଗ କରି ପାରିବ ଓ ମାତୃଭୂମୀର ବିରାଟ ଋଣ ସାମାନ୍ୟ ଲାଘବ ହୋଇପାରିବ।
ଓଡିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସତ୍ୟ ଲେଖିଛନ୍ତି, ‘ଆଖି ଆଗରେ ବହୁ ମୃତ୍ୟୁ ଦେଖିଛି ଓ ଦେଖୁଛି। ଓଡ଼ିଶାରେ, ଭାରତରେ ଓ ବିଶ୍ଵରେ ଅଗଣିତ ଲୋକ ପ୍ରତ୍ୟେକ ଦିନ ମୃତ୍ୟୁବରଣ କରିଛନ୍ତି ଓ କରୁଛନ୍ତି। ମୋ ପାଳି ବି କେତେବେଳେ ଆସି ନ ଯିବ କିଏ କହିବ! କିନ୍ତୁ ତା ମାନେ ନୁହେଁ ମୃତ୍ୟୁକୁ ମୁଁ ଡରୁଛି! ବା ଡରି ଯାଉଛି! କିନ୍ତୁ ନିହାତି ସତ କଥା, ମୋ ମନରେ ଓଡିଶାକୁ ବିଦେଶପରି ବିକଶିତ କରିବାକୁ ଯେଉଁ ଇଚ୍ଛା ଥିଲା, ଓଡିଶାର ଲୋକଙ୍କ ଜୀବନ ଧାରଣର ମାନ ପରିବର୍ତନ କରିବାକୁ ଯେଉଁ ଉନ୍ମାଦନା ଥିଲା । ତା ସହିତ ବିଦେଶରେ ଏଇ ବର୍ଷ ଗୁଡିକରେ ଆର୍ଥିକ ସ୍ୱଚ୍ଛଳ ବି ହୋଇଯିବି ଓ ଓଡିଶା ଫେରିଲେ, ଟଙ୍କା ରୋଜଗାର ପାଇଁ ନ ଦୌଡି ମୋର ସବୁତକ ସମୟ ମୃତ୍ୟୁ ପର୍ଯ୍ୟନ୍ତ ଓଡ଼ିଶାର ବିକାଶ ପାଇଁ ବିନିଯୋଗ କରିବି। ଯଦି ମୃତ୍ୟୁ ହୁଏ,ତାହା ମୁଁ ପୁରଣ କରି ପରିବିନି। ସେଥି ପାଇଁ ଭୀଷଣ ଭାବେ ମର୍ମାହତ ହୋଇଛି’ ।
କରୋନାରେ ଆକ୍ରାନ୍ତ ହେବା ପରେ ସୋସିଆଲ ମିଡିଆରେ ମର୍ମସ୍ପର୍ଶୀ ପୋଷ୍ଟ କରିଛନ୍ତି ସତ୍ୟ । ଲେଖିଛନ୍ତି, ‘ଏବେ ମୁଁ କରୋନାରେ ଆକ୍ରାନ୍ତ। ହସ୍ପିଟାଲରେ ଅଛି। ଆଜି ମୁଁ ବଞ୍ଚିଛି କିନ୍ତୁ କାଲି ବଞ୍ଚିଥିବି ବୋଲି କିଛି ମାନେ ନାହିଁ । ଜୀବନ ତ ଜନ୍ମ ଓ ମୃତ୍ୟୁର ଖେଳ! ବହୁତ ଗୁଡ଼େ ଆଶା ଓ ଉନ୍ମାଦନା ନେଇ ପାଖାପାଖି ଦଶ, ବାର ବର୍ଷ ତଳେ ଓଡିଶା ଛାଡି ବିଦେଶ ଆସିଥିଲି। ଭାବିଥିଲି ବିଦେଶରେ ୧୦/୧୫ ବର୍ଷ କଠିନ ପରିଶ୍ରମ କରି ବିଦେଶ କିପରି ଉନ୍ନତ ହୋଇଛି ଶିଖିବି । ପରେ ତାକୁ ଭବିଷ୍ୟତରେ ଓଡିଶା ଫେରି ଆସିବା ପରେ ବିନିଯୋଗ କରି ଓଡିଶାର ଉନ୍ନତି କରି ଓଡିଶାବାସୀଙ୍କ ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣିବି। କିନ୍ତୁ କିଏ ଜାଣିଥିଲା କରୋନା ଆସି ମାଡି ଆସିବ । ମୃତ୍ୟୁ ଓ ଜୀବନ ଦୋ ଛକିରେ ପେଷିହୋଇ ଯିବି। ବନ୍ଦେ ଉତ୍କଳ ଜନନୀ ।