ଡାଇମଣ୍ଡ ପ୍ରିନ୍ସେସ୍‌ରୁ ବାହାରି ପାରୁ ନାହାନ୍ତି ଓଡ଼ିଆ ଯୁବକ, କରୋନା ଭୟରେ ୧୫ ଦିନ ହେଲାଣି ହେଉଛନ୍ତି ହନ୍ତସନ୍ତ

Published By : Prameya-News7 Bureau | February 20, 2020 IST

ଭୁବନେଶ୍ବର୨୦/୨: ଜାପାନର ୟୋକୋହାମା ବନ୍ଦରରେ ଲାଗିଥିବା କରୋନା ପ୍ରଭାବିତ ଜାହାଜ ଡାଇମଣ୍ଡ ପ୍ରିନ୍ସେସ୍‌ରେ ଏବେବି ଫଶି ରହିଛନ୍ତି ଓଡ଼ିଆ ଯୁବକ ଶିବାଶିଷ ନାୟକ । ସେ ତାଙ୍କର ସ୍ଥିତି ସଂପର୍କରେ ନ୍ୟୁଜ୍ 7କୁ ସୂଚନା ଦେଇଛନ୍ତି । ସବୁବେଳେ ମୁହଁରେ ମାସ୍କ ଲଗାଇ ରହିବାକୁ ପଡୁଛି । ଆତଙ୍କିତ ଅବସ୍ଥାରେ ଅଛନ୍ତି ଶିବାଶିଷଙ୍କ ସମେତ ଅନ୍ୟ ଭାରତୀୟ। ଏପଟେ ସେ ସୁରକ୍ଷିତ ଭାବେ ଫେରିଆସିବା ପାଇଁ ତାଙ୍କ ଘର ଲୋକେ ସରକାରଙ୍କ ଠାରୁ ଆରମ୍ଭ କରି ଠାକୁରଙ୍କ ପର୍ଯ୍ୟନ୍ତ ଚାରିଆଡ଼େ ଗୁହାରୀ କରୁଛନ୍ତି।

ଜାହାଜରେ ୧୫ ଦିନକୁ ଅଧିକ ହେଲାଣି ସେ ଅଟକି ରହିଛନ୍ତି । ତାଙ୍କ ସହିତ ଥିବା କିଛି ଭାରତୀୟ ଏବେ ଚିନ୍ତାରେ, କେମିତି ମୁକୁଳିବେ ସେହି ଜାହାଜରୁ । ଜାହାଜରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଯାତ୍ରୀ ମାନଙ୍କୁ ବାହାରକୁ ନିଆଯାଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଆଉ ଶିବାଶିଷଙ୍କ ଭଳି ଯେଉଁ ମାନେ ଏବେ ସୁସ୍ଥ ଅଛନ୍ତି ସେମାନଙ୍କୁ ବାହାରକୁ ଯିବାକୁ ଦିଆଯାଉନାହିଁ । ସେମାନଙ୍କୁ ଗୋଟିଏ ଲେଖାଏଁ ଥର୍ମୋମିଟର ଦିଆଯାଇଛି। ଜ୍ବର ହେଲେ କିମ୍ବା ଅନ୍ୟ କିଛି ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶିବାଶିଷଙ୍କୁ ସବୁବେଳେ କରୋନାରେ ସଂକ୍ରମିତ ହେବା ଆଶଙ୍କା ଭିତରେ ରହିବାକୁ ପଡୁଛି ।ମୁହଁରେ ସବୁବେଳେ ମାସ୍କ ଲଗାଇ ରହିବାକୁ ପଡୁଛି ।ଶିବାଶିଷଙ୍କ ସମେତ ୬ ଜଣ ଭାରତୀୟ ସେମିତି ଆତଙ୍କିତ ଅବସ୍ଥାରେ ଅଛନ୍ତି।ଖାଇବା ପିଇବା ଠିକ୍ ଭାବେ ହେଉନଥିବାରୁ ଦିନକୁ ଦିନ ଦୁର୍ବଳ ଅନୁଭବ କରୁଥିବା ଶିବାଶିଷ ବ୍ରହ୍ମପୁର ପନ୍ଦରାସାହିରେ ଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇଛନ୍ତି ।

ଏପଟେ ସୁସ୍ଥ ସବଳ ଭାବେ ପୁଅ କେମିତି ସେହି କରୋନା ପ୍ରଭାବିତ ଜାହାଜରୁ ଫେରିବ ସେଥିପାଇଁ ତାଙ୍କ ବାପା କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ବୈଦେଶିକ ମନ୍ତ୍ରାଳୟକୁ ଏଥିପାଇଁ ଚିଠି ଲେଖିଛନ୍ତି । ସେପଟେ ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟର ଜଣେ ସ୍କୁଲ ଛାତ୍ର ରାଷ୍ଟ୍ରପତିଙ୍କୁ ଚିଠି ଲେଖି ତୁରନ୍ତ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। କେବଳ ଓଡିଆ ଯୁବକଙ୍କୁ କାହିଁକି, ଭାରତର ଯେତେସବୁ ଫସିଛନ୍ତି ସମସ୍ଥଙ୍କୁ ଉଦ୍ଧାର କରିବାକୁ ଚିଠିରେ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ସେଥିପାଇଁ ସେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ଶିବାଶିଷଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମାଲକାନଗିରିରେ ରହୁଥିବା ତାଙ୍କ ଭଉଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।ପୂର୍ବରୁ ତାଙ୍କୁ ଏୟାର ଲିଫ୍ଟ କରି ଅଣାଯିବ ବୋଲି ଖବର ମିଳିଥିଲା ।ହେଲେ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ପଦକ୍ଷେପ ନିଆଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.