ଆଜି ସତ୍ୟବାଦୀରେ ବହୁ ପ୍ରତୀକ୍ଷିତ ଓଡିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
9/10/2018 at 9:28 AM

ପୁରୀ ୯|୧୦: ଆଜି ସତ୍ୟବାଦୀରେ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ପଡ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇବେ। ଏଥି ପାଇଁ ପବିତ୍ର ବକୁଳବନକୁ ସୁସଜ୍ଜିତ କରାଯିବା ସହ କାନ୍ଥବାଡ଼କୁ ଆକର୍ଷଣୀୟ ଚିତ୍ରକଳାରେ ସଜ୍ଜିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରୁଫ୍ ଟପ୍ ସୁରକ୍ଷା ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳରେ ପହଞ୍ଚାଇବା ବ୍ୟବସ୍ଥା ହୋଇଛି। ଭିତ୍ତିପ୍ରସ୍ତର ଓ ବୃକ୍ଷରୋପଣ ପାଇଁ ୩୦ଟି ଜିଲ୍ଲାରୁ ଆସିଥିବା ପବିତ୍ର ମାଟି, ନଦୀଜଳ ବକୁଳବନରେ ପହଞ୍ଚି ସାରିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ମାଟିରେ ବୃକ୍ଷରୋପଣ କରିବା ପରେ ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ୧୧ଟା୫୨ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଆୟୋଜିତ ଭିତ୍ତିପ୍ରସ୍ତର ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।