ଆତଙ୍କବାଦୀ ସହ ଗୁଳିବିନିମୟ ବେଳେ ଓଡିଆ ଯବାନ ସହିଦ, ଆସନ୍ତାକାଲି ଗାଁକୁ ଫେରିବ ମରଶରୀର
18/06/2019 at 12:29 PM

କାମାକ୍ଷାନଗର ୧୮|୬: ଜାମ୍ମୁକାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ସହିଦ ହୋଇଛନ୍ତି ଓଡିଆ ବୀର ଯବାନ ଅଜିତ କୁମାର ସାହୁ । ଅଜିତଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡସୁଆଁଳ ଗ୍ରାମରେ । ଅଜିତଙ୍କ ସହିଦ ହେବା ଖବର ଆସିବା ପରେ ଅଜିତଙ୍କ ଘରେ କାନ୍ଦବୋବାଳି ପଡିଛି । ଅଜିତଙ୍କ ସହିଦ ହେବା ଖବର ପାଇ ସ୍ତବ୍ଧ ହୋଇଯାଇଛି ପୁରା ଗାଁ । ଗାଁ ଓ ପରିବାରରେ ଶୋକାକୁଳ ପରିସ୍ଥିତି ।

ସୂଚନା ଅନୁସାରେ ଗତକାଲି ଜାମ୍ମୁକାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହିତ ସୁରକ୍ଷାକର୍ମୀଙ୍କର ଗୁଳି ବିନିମୟ ହୋଇଥିଲା । ଗୁଳିବିନିମୟ ଫଳରେ ଅଜିତ ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

୨୦୧୫ ମସିହାରେ ସେନାରେ ଯୋଗଦେଇଥିଲେ ଅଜିତ । ଆସନ୍ତାକାଲି ଅଜିତଙ୍କ ମରଶରୀର ତାଙ୍କ ପୈତୃକ ଗାଁକୁ ଆସିବ । ଅଜିତ ସହିତ ହେବା ନେଇ ଆର୍ମି କ୍ୟାମ୍ପରୁ ଆଜି ପରିବାରଲୋକଙ୍କୁ ଫୋନ୍ ଆସିଥିଲା । ଏ ଖବର ଆସିବା ପରେ ସାରା ଗାଁ ସ୍ତବ୍ଧ ହୋଇଯାଇଛି ।