ବିଦେଶୀ ଖେଳାଳିଙ୍କ ଖାଦ୍ୟ ମେନ୍ୟୁରେ ଦେଶୀ ଖାଦ୍ୟ: ପରଶା ଯିବ ପଖାଳ, ଭଜା ଓ ବଡିଚୁରା

Published By : Prameya-News7 Bureau | January 10, 2023 IST

ଭୁବନେଶ୍ୱର ୧୦/୦୧: ୱାର୍ଲଡ କପ୍‌ ହକି ପାଇଁ ରାଜଧାନୀ ଭୁବନେଶ୍ୱର ଏବେ ଉତ୍ସବମୁଖର । ମେ ଫେୟାର, ସ୍ୱସ୍ତି ପ୍ରିମିୟମ, ସ୍ୱସ୍ତି ଗ୍ରାଣ୍ଡ, ହୋଟେଲ ଆଇଟିସି ୱେଲକମ୍‌, ତାଜ ବିଭାନ୍ତା ଏବଂ ସ୍ୟାଣ୍ଡିସ ଟାୱାର ଭଳି ସହରର ୯ ପ୍ରମୁଖ ହୋଟେଲରେ ବିଭିନ୍ନ ଦେଶର ଖେଳାଳିଙ୍କ ରହିବାର ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ସୁରକ୍ଷା, ସହ ଡାଏଟ ଓ ଖାଦ୍ୟ ପାନୀୟକୁ ନେଇ ହୋଟେଲଗୁଡିକର କର୍ତ୍ତୃପକ୍ଷ ବେଶ ଯତ୍ନବାନ ରହିଛନ୍ତି ।

ସରକାରଙ୍କ ପକ୍ଷରୁ ଏ ନେଇ ନିର୍ଦ୍ଦିଷ୍ଟ ଗାଇଡଲାଇନ ମଧ୍ୟ ରହିଛି । ଏହା ବାଦ ଟିମ୍‌ ଗୁଡିକର ନିଜସ୍ୱ ଡାଏଟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଖେଳାଳିଙ୍କୁ ପରଶା ଯାଉଛି । ହୋଟେଲ ସ୍ୱସ୍ତି ଗ୍ରାଣ୍ଡ୍‌ରେ ଦକ୍ଷିଣ ଆଫ୍ରିକା ହକି ଦଳ ରହିବାର ବ୍ୟବସ୍ଥା କରାଯାଇଛି । ଏଠାରେ ସକାଳ ଜଳଖିଆରେ ଖେଳାଳି ଟୋଷ୍ଟ ଏବଂ ବ୍ରାଉନି ସହ କେନ୍‌ ଜୁସ୍‌କୁ ପସନ୍ଦ କରୁଛନ୍ତି । ସେହିଭଳି ମେନ୍ୟୁରେ ରହିଛି କ୍ଷୀର ସହ ଅଣ୍ଡାର ଏକ ଡିସ୍‌ ।

ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ମଧ୍ୟ ଖେଳାଳିଙ୍କ ମଧ୍ୟରେ ପ୍ରମୋଟ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଡାଲମା, ଭାତ ସହ ପୁରୀର ସ୍ୱାଦ ନେଇଛନ୍ତି ଖେଳାଳି ।ଗେମ୍‌ ଯିବାର ୨ ଘଣ୍ଟା ପୂର୍ବରୁ ଛେନା ପୋଡ଼, ରସଗୋଲା ଖାଇବାକୁ ଖେଳାଳି ପସନ୍ଦ କରୁଛନ୍ତି । ଅଧିକାଂଶ କ୍ରୀଡାବିତ ଖାଦ୍ୟରେ ପ୍ରାୟ ୬୦୦ ଗ୍ରାମ ଚିକେନ ସାମିଲ କରୁଛନ୍ତି । ମାଛ ଖେଳାଳିଙ୍କ ଏତେଟା ପସନ୍ଦ ଆସୁନାହିଁ । ସର୍ଟେଡ, ଚିଲିି ଗାର୍ଲିକ ଏବଂ ଗ୍ରିଲଡ୍‌ ଚିକେନ ଖାଇବାକୁ ବେଶି ପସନ୍ଦ କରୁଛନ୍ତି ଖେଳାଳି ।

ସେହିଭଳି ଗାର୍ଲିକ ନାନ୍‌, ପାସ୍ତା, ନୁଡଲ୍ସ, ଖେଳ ପାଇଁ ବାହାରିବାର ପ୍ରାୟ ୨ ଘଣ୍ଟା ଆଗରୁ ଖେଳାଳି ଟପ୍‌ ଅପ୍‌ ମିଲ୍‌ ନେଉଛନ୍ତି । ଏହାବାଦ ଏନର୍ଜି ବାର, ହ୍ୱାଇଟ ଏବଂ ବ୍ରାଉନ ବ୍ରେଡ୍‌ରେ ନିଜେ ଟୋଷ୍ଟ ପ୍ରସ୍ତୁତ କରି ଖାଇବାକୁ କିଛି କିଛି ଖେଳାଳି ପସନ୍ଦ କରୁଛନ୍ତି । ମେନ୍ୟୁରେ ପିନଟ୍‌ ବଟର ଏବଂ ହନି ମଧ୍ୟ ରଖାଯାଇଛି ।

ଖେଳାଳି ସାଲାଡ ପରିବର୍ତ୍ତେ ଫଳ ନିଜେ ଛଡାଇ ଖାଇବାକୁ ପସନ୍ଦ କରୁଛନ୍ତି । ଆଗକୁ ପଖାଳ, ଭଜା, ବଡିଚୁରା, ଦହି ବାଇଗଣ ଭଳି ଖାଦ୍ୟ ଖେଳାଳିଙ୍କୁ ଚଖାଇବାର ଯୋଜନା ରହିଥିବା ହୋଟେଲର ଜେନେରାଲ ମ୍ୟାନେଜର କୌଶିକ ଚକ୍ରବର୍ତ୍ତୀ କହିଛନ୍ତି ।

ସ୍ୱସ୍ତି ପ୍ରିମିୟମ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ହୋଟେଲରେ ମାଲେସିଆ ଏବଂ କୋରିଆ କ୍ରୀଡାବିତଙ୍କ ରହିବା ଲାଗି ବ୍ୟବସ୍ଥା କରାଯାଇଛି । ଏବେ କୋରିଆ ଖେଳାଳି ରହୁଥିବା ବେଳେ ୧୭ରୁ ମାଲେସିଆ ଖେଳାଳି ଆସିବେ । ଏଠାରେ ମେନ୍ୟୁରେ କୋରିଆ ଖାଦ୍ୟ ସହ ନୁଡୁଲ୍ସ ମଧ୍ୟ ସାମିଲ କରାଯାଇଛି । ପ୍ରୋଟିନ ଏବଂ ସାଲାଡ ସହ ଷ୍ଟିମ, ଗାର୍ଲିକ, ସର୍ଟେଡ ଚିକେନକୁ ଖେଳାଳି ବେଶି ପସନ୍ଦ କରୁଛନ୍ତି । ହୋଟେଲର ଏକଜିକ୍ୟୁଟିଭ ସେଫ୍‌ ପ୍ରଶାନ୍ତ ସି କହିଛନ୍ତି, ଭାରତୀୟ ଖାଦ୍ୟ ସହ ଭାତକୁ କିଛି କିଛି ଖେଳାଳି ମଧ୍ୟ ପସନ୍ଦ କରୁଛନ୍ତି । ଖେଳାଳି ଯେଭଳି ଫୁଡ ପଏଜନିଂ ସମସ୍ୟା ସାମ୍ନା ନ କରନ୍ତି ତାକୁ ବିଶେଷ ଭାବେ ଧ୍ୟାନରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.