ଚତୁର୍ଦ୍ଦଶ ପୁରୁଷ ହକି ବିଶ୍ବକପ ୨୦୧୮ : ରିଲିଜ୍ ହେଲା ଓଡିଆ ଚିଅର ଅପ୍ ସଙ୍ଗ
9/11/2018 at 10:43 AM

ଭୁବନେଶ୍ବର ୯|୧୧: ହକି ବିଶ୍ବକପ୍ ପାଇଁ ରିଲିଜ୍ ହୋଇଛି ଚିଅର ଅପ୍ ସଙ୍ଗ । ଟୁର୍ଣ୍ଣାମେଣ୍ଟକୁ ଆଉ କେଇଟା ଦିନ ବାକି ଥିବାବେଳେ, ଏବେଠୁ ଲାଗିଲାଣି ହକି ଫିବର୍ ।
ଚତୁର୍ଦ୍ଦଶ ପୁରୁଷ ହକି ବିଶ୍ବକପ ୨୦୧୮ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଆଉ କେଇଟା ଦିନ ପରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଜମିବ ଭିଡ। ଲାଗିବ ଗହଳିଚହଳି। ୧୬ଟି ଦେଶର ଟିମ୍ ୪ଟି ଗ୍ରୁପରେ ଟ୍ରଫି ପାଇଁ କରିବେ ଜୋରାଦାର ଲଢେଇ। ସମୟ ଯେତିକି ଯେତିକି ଆଗକୁ ବଢୁଛି ହକି ବିଶ୍ବକପର ନେଇ ଲୋକଙ୍କ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି। ଟୁର୍ଣ୍ଣାମେଣ୍ଟରେ ରୋମାଞ୍ଚ ଭରିବା ଲାଗି ଆଜି ବିଶ୍ବକପ ପାଇଁ ଟିଜର ଭିଡିଓ ରିଲିଜ ହୋଇଛି । ଗୀତର ଟାଇଟଲ ରହିଛି ‘ଆସ କରିବା ଏତେ ବୋବାଲ୍, ଓଡ଼ିଶା ନାଁ ହେବ ଗ୍ଲୋବାଲ୍’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓକୁ ଶେୟାର କରିଛନ୍ତି। ପ୍ରଖ୍ୟାତ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ତଦାରଖରେ ଭିଡିଓ ନିର୍ମାଣ କରାଯାଇଛି। ଫିଲ୍ମ ନିର୍ଦ୍ଦେଶକ ସୁଶାନ୍ତ ଗୀତର ଭିଡିଓ ଦାୟିତ୍ବ ସମ୍ଭାଳିଛନ୍ତି। ଗୀତଟିକୁ ସ୍ବରରେ ସଜେଇଛନ୍ତି ଗୁଡଲି ରଥ। ମ୍ୟୁଜିକ ଆରେଞ୍ଜମେଣ୍ଟ କରିଛନ୍ତି କାବୁଲି ରଥ। ଗୀତଟିକୁ ଲେଖିଛନ୍ତି ସଚିନ୍ । ଗୀତକୁ ଗାଇଛନ୍ତି ବଲିଉଡ ପ୍ରଚ୍ଛଦପଟ ଗାୟକ ମିକା ସିଂ ଓ ଓଡିଆ ଝିଅ ଲିପ୍ସା ମହାପାତ୍ର। ଓଡ଼ିଶାର ପାରମ୍ପରିକ ଲୋକ ସଂଗୀତକୁ ଏଥିରେ ସ୍ଥାନ ଦିଆଯାଇଛି। ଏହାବାଦ ଉଭୟ ଖେଳାଳି ଏବଂ ଦର୍ଶକଙ୍କୁ ଉତ୍ସାହିତ କରିବାକୁ ଏଥିରେ ସମ୍ବଲପୁରୀ ବାଦ୍ୟର ଛୁଙ୍କ ମଧ୍ୟ ଦିଆଯାଇଛି ।
ହକି ପ୍ରେମୀଙ୍କୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଟାଣିବା ପାଇଁ ଖୁବ୍ ଶୀଘ୍ର ରିଲିଜ ହେବ ଗୀତର ହିନ୍ଦୀ ଭର୍ସନ। ଓସ୍କାର ଓ ଗ୍ରାମି ଆୱାର୍ଡ ବିଜେତା ଏର ଆର ରେହମାନ ଏହି ଗୀତକୁ ନିଜ ସ୍ବରରେ ସଜେଇବେ। ଗୀତଟିକୁ ଲେଖିଛନ୍ତି ପ୍ରଖ୍ୟାତ ଗୀତିକାର ଗୁଲଜାର। ଜୟ ହୋ ପରେ ପୁଣି ଥରେ ଦର୍ଶକ ରେହମାନ- ଗୁଲଜାରଙ୍କ ଧୁନରେ ଝୁମିବେ।
ଭାରତ ଏହା ପୁର୍ବରୁ ଦୁଇ ଥର ହକି ବିଶ୍ବକପ ସଫଳତାର ସହିତ ଆୟୋଜନ କରିଛି। ତୃତୀୟ ଥର ପାଇଁ ଓଡିଶାରେ ଆୟୋଜିତ ବିଶ୍ବକପକୁ ସଫଳ କରିବାପାଇଁ ଫୁଲ୍ ଦମରେ ଲାଗିଛନ୍ତି ଓଡିଶା ସରକାର।