ବାଲିଗୁଡା ୧୯/୦୮: ସବୁରି ମୁହଁରେ ସନ୍ନିଙ୍କ ଅଭିନୟର ପ୍ରଶଂସା । ହେଲେ ତାଙ୍କର ଧୂମ ଧଡାକା ଆକ୍ସନ ପଛରେ ରହିଛି ଜଣେ ଓଡ଼ିଆଙ୍କ ହାତ । ସିନେମାର ପ୍ରଚ୍ଛଦ ପଟରେ ରହି ଫଲି ଆର୍ଟିଷ୍ଟ ଭାବେ କାମ କରିଛନ୍ତି ସେ । ଛୋଟିଆ ଜିଲ୍ଲାରୁ ଯାଇ ମାୟାନଗରୀରେ ସଫଳତା ସାଉଁଟିଛନ୍ତି ଏହି ଓଡ଼ିଆ ପୁଅ ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଜନ୍ମ । ନା ତାଙ୍କର ବରୁଣ ବିଷୋୟୀ । ନିକଟରେ ରିଲିଜ ହୋଇଥିଲା ଫିଲ୍ମ ଗଦରର ସଫଳତା ପଛରେ ରହିଛି ତାଙ୍କ ହାତ । ଅଭିନୟ ସିନା କରିନାହାଁନ୍ତି, ଅଭିନୟ ପଛରେ ପ୍ରତିଟି ଶବ୍ଦ ତାଙ୍କର । ସନ୍ନି ଦେଓଲଙ୍କ ଚାଲିବା, ଦୌଡ଼ିବା, କାସିବା ନିଃଶ୍ୱାସ ପ୍ରଶ୍ୱାସ ନେବା । ଏମିତିକି ସେ ବ୍ୟବହାର କରୁଥିବା ଯନ୍ତ୍ର ବା ବସ୍ତୁ ।
wp:html /wp:htmlପ୍ରତିଟି ଶବ୍ଦର ଅବିକଳ ନକଲ କରିଛନ୍ତି ଏହି ଫଲି ଆର୍ଟିଷ୍ଟ ବରୁଣ । କାଚ ଭାଙ୍ଗିବା, କବାଟ ଝରକା ଖୋଲିବା ବନ୍ଦ କରିବା ବେଳେ ଯେଉଁ ଶବ୍ଦ ସବୁ ସୁଣିବାକୁ ମିଳେ ତାକୁ ପରଦା ପଛରେ ରହି ଜୀବନ୍ତ କରିଛନ୍ତି ବରୁଣ । କେବଳ ଗଦର ନୁହେଁ ପୂର୍ବରୁ ଅନେକ ହିନ୍ଦୀ, ବଙ୍ଗାଳୀ, ମରାଠୀ ତେଲୁଗୁ, ଗୁଜରାଟୀ ସିନେମାରେ କରିଛନ୍ତି ଫଲି ଆର୍ଟିଷ୍ଟ ଭାବେ କାମ । ନିକଟରେ ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ଦମନ୍ରେ ସାଉଁଟିଥିଲେ ପ୍ରଶଂସା ।
ଏତେଟା ସହଜ ନଥିଲା ବରୁଣଙ୍କ ସଫଳତା । ଦାରିଙ୍ଗବାଡିରୁ ମୁମ୍ବାଇ ଯାତ୍ରା ଥିଲା ବେଶ ସଂଘର୍ଷମୟ । ସାମାନ୍ୟ ଦରଜୀରୁ ଫଲି ଆର୍ଟିଷ୍ଟ ଏହା ପଛରେ ବି ରହିଛି ଲମ୍ବା କାହାଣୀ । ଦାରିଙ୍ଗବାଡି ତିନିଛକର ଶ୍ରୀବତ୍ସ ବିଷୋୟୀଙ୍କ ତୃତୀୟ ପୁଅ ବରୁଣ । ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ବାପା ଚାଲିଥିଲେ ପରପାରିକୁ । ପରିବାର ଚଳାଇବାକୁ ପାଇଁ ପାଠପଢା ଛାଡ଼ି ବାପା କରୁଥିବା ସିଲେଇ କାମକୁ ଆଦରି ନେଇଥିଲେ । କିନ୍ତୁ ସ୍ୱପ୍ନ ଥିଲା ବଲିଉଡ ଯିବାକୁ । ନିଜର ସଞ୍ଚିତ ୪୦୦ ଟଙ୍କା ଓ ସାଙ୍ଗଠୁ ୫୦୦ ଟଙ୍କା ଧାରକରି ୨୦୨୧ରେ ଚାଲିଗଲେ ମୁମ୍ୱାଇ ।
ପ୍ରଥମେ କ୍ୟାଣ୍ଟିନ ବୟ ଭାବେ କାମ କରି ଷ୍ଟୁଡିଓକୁ ନେବା ଆଣିବା କରୁଥିଲେ ଖାଦ୍ୟ । ପରେ ଆରାଧନା ଷ୍ଟୁଡ଼ିଓରେ ଅଫିସ୍ ବୟ ଆରମ୍ଭ କଲେ କାମ । ୨୦୦୫ରେ ଫଲି ଆର୍ଟିଷ୍ଟ ସହିତ ଅନ୍ୟ ଚାରୋଟି ବିଭାଗରେ କାମ ଶିଖି ୨୦୦୭ରେ ମିଳିଥିଲା ସୁଯୋଗ । ସେବେଠୁ ଆଉ ପଛକୁ ନଫେରି ଆଜି ଚଢିଚାଲିଥାନ୍ତି ସଫଳତାର ଶିଢୀ । ଆଉ ତାଙ୍କର ଏହି ସଫଳତାକୁ ନେଇ ଓଡ଼ିଶା ନୁହେଁ ସାରା ଦେଶରେ ଚର୍ଚ୍ଚା ।