ଅକ୍ଷର ଭୂମି ଆଗରେ ନିର୍ମାଣ ହେବ ‘ଓଡ଼ିଆ ଅସ୍ମିତା ଭବନ’, ୧୫ରେ ଭିତ୍ତିପ୍ରସ୍ତର ସ୍ଥାପନ

Published By : Prameya-News7 Bureau | November 07, 2024 IST

ଭୁବନେଶ୍ୱର ୦୭।୧୧: ‘ଅକ୍ଷର ଭୂମି’ ଆଗରେ ନିର୍ମାଣ ହେବ ‘ଓଡ଼ିଆ ଅସ୍ମିତା ଭବନ’ । ଭୁବନେଶ୍ୱର ଗଜପତି ନଗରରେ ‘କଳାମଣ୍ଡଳ’ ପରିସରରେ ଥିବା ଏହି ‘ଅକ୍ଷରଭୂମି’ ଆଗରେ  ‘ଓଡ଼ିଆ ଅସ୍ମିତା’ ତା’ର ମହିମା ଗାଇବ । ସମଗ୍ର  ଓଡ଼ିଶାକୁ ଜାବୁଡ଼ି ତା’ର ଗରିମା ପ୍ରଦର୍ଶନ କରିବ ।  ଏନେଇ ସରକାର ଯେଉଁ ସ୍ୱପ୍ନ ଦେଖିଥିଲେ ଓ ପ୍ରତିଶ୍ରୁତି  ଦେଇଥିଲେ, ତାହା ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ   ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।  

ନଭେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି  ସମୟରେ ସେ ଅନେକ ପ୍ରକଳ୍ପର ଶୁଭାରମ୍ଭ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି  ଅବସରରେ ସେ ‘ଓଡ଼ିଆ ଅସ୍ମିତା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ‘ଅକ୍ଷର ଭୂମି’ ଆଗରେ ସାଢ଼େ ୪ ଏକର ଜମି ବିବାଦ ଭିତରେ ଥିଲା। ସେ ଅଡ଼ୁଆ ତୁଟି ତାହା ସରକାରଙ୍କ ହାତକୁ ଆସିବା ପରେ ସରକାର   ଏବେ ସେଠି ତାଙ୍କ ସ୍ୱପ୍ନକୁ ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଭବନ କେବଳ ସରକାରୀ ଭବନ ହୋଇ ରହିବ ନାହିଁ । ଏଠି ଶାସନ, ପ୍ରଶାସନିକ କାର୍ଯ୍ୟ   ବା ଫାଇଲ୍‌ ଚାଷ ହେବନି । ବରଂ ୩୬୦ ଡିଗ୍ରୀରେ ସମଗ୍ର ଓଡ଼ିଶାକୁ ପ୍ରଦର୍ଶିତ କରାଯିବା ବ୍ୟବସ୍ଥା ହେବ । ୪ରୁ ୫ ମହଲା ବିଶିଷ୍ଟ ଏକ କୋଠା ନିର୍ମାଣ ହେବ । ଯେଉଁଠିକୁ ବୁଲି ଆସିଲେ ଜଣେ ଓଡ଼ିଶା ଓ ‘ଓଡ଼ିଆ ଅସ୍ମିତା’ ସମ୍ପର୍କରେ ଜାଣିପାରିବେ । ଗୋଟିଏ ମହଲାରେ ଜନଜାତି, ଗୋଟିଏ ମହଲାରେ ପର୍ଯ୍ୟଟନ, ଅନ୍ୟଟିରେ ବରପୁତ୍ର ବା ମହାପୁରୁଷଙ୍କ ସମ୍ପର୍କିତ ତଥ୍ୟକୁ ଭିନ୍ନ ଭିନ୍ନ ମାଧ୍ୟମରେ ଉପସ୍ଥାପିତ କରାଯିବ। ଏପରିକି ଭର୍ଚୁଆଲ୍‌ ବା ଡିଜିଟାଲ୍‌ ମାଧ୍ୟମରେ  ୩୬୦ ଡିଗ୍ରୀରେ ଓଡ଼ିଶା ଚିତ୍ରକୁ ପ୍ରଦର୍ଶନ କରାଯିବ। ସେଥିପାଇଁ ସରକାର ବଜେଟ୍‌ରେ ୨୦୦ କୋଟିର ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ।  

ଗତ ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ୨ ତାରିଖ  ସନ୍ଧ୍ୟାରେ ‘ଅକ୍ଷର ଭୂମି’ ଲୋକାର୍ପିତ ହୋଇଥିଲା।  ୬ଟି ପଥର କାନ୍ଥରେ ଖଣ୍ଡୋଲାଇଟ୍‌ ପଥରରେ ଓଡ଼ିଆ ଅକ୍ଷରଗୁଡ଼ିକ ସୁନ୍ଦର ଭାବେ ଖୋଦେଇ ହୋଇ ସ୍ଥାପିତ ହୋଇଥିଲା। ପଥର କାନ୍ଥ ମଝିରେ ବଡ଼ ଆକାରରେ ଓଡ଼ିଆ ଅକ୍ଷର ‘ଅ’ ରହିଛି। ସେଥିରେ ଲାଗିଥିବା  ଅତ୍ୟାଧୁନିକ ଏଲ୍‌ଇଡି ଲାଇଟ୍‌ଗୁଡ଼ିକ ସନ୍ଧ୍ୟାରେ ଅକ୍ଷର  କାନ୍ଥକୁ ଅଧିକ ଆକର୍ଷଣୀୟ କରୁଛି। ‘ଅକ୍ଷର ଭୂମି’  ଠିକ୍‌ ମଝି ମଣ୍ଡପରେ ମୁକ୍ତେଶ୍ୱର ମନ୍ଦିରରେ ଥିବା ତୋରଣ ପରି ତିଆରି ହୋଇଛି, ଯାହାର ମଝିରେ ଓଡ଼ିଆ ବର୍ଣ୍ଣମାଳାର ବଡ଼ ‘ଅ’ ଅକ୍ଷରଟି ସ୍ପଷ୍ଟ ଦିଶୁଛି, ଏହା ଅନ୍ୟତମ ଆକର୍ଷଣ ସୃଷ୍ଟି କରୁଛି। ଏହା ପ୍ରାୟ ୮୦  ଲକ୍ଷ ଟଙ୍କା ଖର୍ଚ୍ଚରେ ସ୍ପାନ୍‌ ଇନ୍‌ଫ୍ରା ବିଲ୍‌ଡର୍ସ ଦ୍ୱାରା ନିର୍ମାଣ ହୋଇଥିଲା। ୪୦ ମିଟର ଲମ୍ବ ଓ ଚଉଡ଼ାରେ ଏହି ସ୍ମାରକୀ ଓଡ଼ିଆର ପରିଚୟ ଦେଉଛି । ଭାଷା ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଏହା ନିର୍ମାଣ ହୋଇଥିଲା। ଏବେ  ତା’ ଆଗରେ ‘ଓଡ଼ିଆ ଅସ୍ମିତା ଭବନ’ ଛିଡ଼ା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.