ରେଳ ଦୁର୍ଘଟଣାରେ ଆଖି ବୁଜିଥିଲେ ଗୋବିନ୍ଦ; ସୁଗୋରେ ପରିବାରକୁ ଭେଟି ସହାୟତା ଦେଲେ ନିଶା
6/06/2023 at 11:16 PM

ବାସୁଦେବପୁର ୦୬/୦୬: ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାରେ ହାୱଡ଼ାରୁ ଭଦ୍ରକ ଆସିବା ବେଳେ ଗୋବିନ୍ଦ ସାହୁ ପ୍ରାଣ ହରାଇଛନ୍ତି। ସେ ଭଦ୍ରକର ବାସୁଦେବପୁର ବ୍ଲକ ସୁଗୋ ଗାଁର ବାବୁ ସାହୁଙ୍କ ପୁଅ। ଗୋବିନ୍ଦଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏବେ ପୁରା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏପରି ଦୁର୍ଦ୍ଦଶା ବେଳେ ଗୋବିନ୍ଦଙ୍କ ପରିବାରକୁ ଭେଟି ସହାୟତା ଦେଇଛନ୍ତି କଳାକାର ନିଶା ମହାରଣା।

ସେ ପରିବାରକୁ ଭେଟି ଗୋବିନ୍ଦଙ୍କ ଦେଢ ମାସର ଶିଶୁ କନ୍ୟାକୁ କୋଳରେ ଧରିଥିଲେ। ଏହାପରେ ସେହି ଶିଶୁର +୨ ପାଠପଢ଼ା ସହିତ ସମସ୍ତ ଦାୟୀତ୍ୱ ଓ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହାଛଡ଼ା ଶିଶୁ କନ୍ୟା ହାତରେ କିଛି ଅର୍ଥ ରାଶି ପ୍ରଦାନ କରିଥିଲେ। ନିଶାଙ୍କ ଏପରି ମହନୀୟତାକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି। ଅନ୍ୟପଟେ ଭାବ ବିହ୍ୱଳ ହୋଇ ଗୋବିନ୍ଦଙ୍କ ମାଆ ନିଶାଙ୍କୁ ଧରି କାନ୍ଦି ପକାଇଥିଲେ।