ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ବଢ଼ିଲା ଟ୍ରମ୍ପ୍ଙ୍କ ପାଇଁ ଅଡ଼ୁଆ, ପ୍ରଥମ ଥର କେହି ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହେବ ମକଦ୍ଦମା
31/03/2023 at 9:02 AM

ନୂଆଦିଲ୍ଲୀ, ୩୧/୦୩; ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ବଢ଼ିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଇଁ ଅଡ଼ୁଆ। ମାମଲାରେ ଟ୍ରମ୍ପଙ୍କ ବିରୋଧରେ ଚାଲିପାରେ ମକଦ୍ଦମା। ଏହି ମକଦ୍ଦମା ପର୍ଣ୍ଣଷ୍ଟାର୍ ଷ୍ଟାର୍ମୀ ଡେନିୟଲ୍ସଙ୍କୁ କରାଯାଇଥିବା ଟଙ୍କା ମାମଲାରେ କରାଯିବ। ନ୍ୟୁୟର୍କ ଗ୍ରାଣ୍ଡ୍ ଜୁରୀ ଟ୍ରମ୍ପ୍ଙ୍କ ବିରୋଧରେ ମକଦ୍ଦମା ସପକ୍ଷରେ ରହିଛି। ଏହି ମାମଲରେ ଜୁରୀ ସିଲ୍ ବନ୍ଦ ଲଫାଫାରେ ନିଜ ରିପୋର୍ଟକୁ ମ୍ୟାନହାଟନ ଜିଲ୍ଲା ଅଫିସ୍ରେ ଜମା କରିଛନ୍ତି।
‘ଦ ନ୍ୟୁୟର୍କ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ବିରୋଧରେ ମକଦ୍ଦମା ଆଗାମୀ ଦିନରେ ଘୋଷଣା କରାଯିବ। ତେବେ ଯଦି ଟ୍ରମ୍ପ୍ଙ୍କ ବିରୋଧରେ ମକଦ୍ଦମା ହେଉଛି ତେବେ ସେ ଆମେରିକାରେ ଏଭଳି ପ୍ରଥମ ରାଷ୍ଟ୍ରପତି ହେବେ ଯାହାଙ୍କ ଉପରେ ଅପରାଧିକ ମାମଲା ଚାଲିବ। ତେବେ ଏହାକୁ ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି। କାରଣ ଟ୍ରମ୍ପ୍ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଗତବର୍ଷ ସେ ୨୦୨୪ରେ ପୁଣି ଥରେ ରାଷ୍ଟ୍ରପତି ଭାବରେ ଲଢ଼ିବା ପାଇଁ ଘୋଷଣା କରିଥିଲେ ।
ସେପଟେ ଏହି ମାମଲାରେ ଟ୍ରମ୍ପଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରମ୍ପ୍ କହିଛନ୍ତି ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗର ନ୍ୟୁୟର୍କରେ ନିରପେକ୍ଷ ଶୁଣାଣି ହୋଇପାରିବନି। ସେ ବିଚାରପତି ଚୟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଟ୍ରମ୍ପ କହିଛନ୍ତି ସେ ଆମେରିକା ଲୋକଙ୍କ ସହ ଅଛନ୍ତି ସେଥିପାଇଁ ତାଙ୍କ ଉପରେ ଅଭିଯୋଗ ଲଗାଯାଇଛି। ଟ୍ରମ୍ପ୍ ପୂରା ମାମଲାକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଏହ ଜୋ ବାଇଡେନ୍ଙ୍କ ଉପରେ ଭାରି ପଡ଼ିବ। ଆମେରିକାର ଜନତା ସବୁ ବୁଝୁଛନ୍ତି କିଏ କ’ଣ କରୁଛି।
କ’ଣ ପୂରା ମାମଲା ?
ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଅଭିଯୋଗ ହୋଇଛି ଯେ, ତାଙ୍କର ତତ୍କାଳୀନ ଓକିଲ ମାଇକେଲ କୋହେନ ୨୦୧୬ ରେ ଆମେରିକା ନିର୍ବାଚନର ଏକ ମାସ ପୂର୍ବରୁ ପର୍ଣ୍ଣ ଷ୍ଟାର୍ ଡେନିୟଲ୍ସଙ୍କୁ ୧,୩୦,୦୦୦ ଡଲାର ଦେଇଥିଲେ। ସେତେବେଳେ ଏହି ମାମଲା ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଏହି ପରିମାଣର ଟଙ୍କା କୋହେନ୍ଙ୍କୁ ଦେଇଥିଲେ ଏବଂ ଏହାକୁ ଲିଗାଲି ଫିସ୍ ବୋଲି କହିଥିଲେ। ଏହିଠାରୁ ହିଁ ଟ୍ରମ୍ପଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା। ତାଙ୍କ ଉପରେ ଦସ୍ତାବିଜ୍ର ଘୋଟାଲା ଅଭିଯୋଗ ଲାଗିଥିଲା।