ନୂପୁର ଶର୍ମାଙ୍କ ବୟାନକୁ ନେଇ ମାଳଦ୍ଵୀପ ସଂସଦରେ ହଙ୍ଗାମା, ନିନ୍ଦା କଲେ ଆଉ ଦୁଇ ଦେଶ

Published By : Prameya-News7 Bureau | June 06, 2022 IST

ନୂଆଦିଲ୍ଲୀ; ବିଜେପିରୁ ନିଲମ୍ଵିତ ନେତ୍ରୀ ନୂପୁର ଶର୍ମାଙ୍କ ବୟାନକୁ ନେଇ ପୂରା ଦୁନିଆର ମୁସଲିମ ଦେଶଗୁଡିକରେ ହଙ୍ଗାମା ଆରମ୍ଭ ହୋଇ ଯାଇଛି। ଏକ ଟେଲିଭିଜନର ବିତର୍କ କାର୍ଯ୍ୟକ୍ରମ ସମୟରେ ସେ ପୈଗମ୍ବର ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ଇସଲାମିକ ଦେଶ କ୍ଷୁବ୍ଧ ହେବା ସହ ଏହାର ଜୋରଦାର ବିରୋଧ କରିଛନ୍ତି। ପ୍ରଥମେ କାତାର, ବାହାରିନ, କୁଏତ ଏବଂ ଇରାନ ଏହାର ନିନ୍ଦା କରି ସାରିଛନ୍ତି। ଏବେ ମାମଲା ମାଳଦ୍ଵୀପ ସଂସଦ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ମାଳଦ୍ଵୀପ ସଂସଦରେ ଏକ ଜରୁରୀକାଳୀନ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଏହା ନୂପୁର ଶର୍ମାଙ୍କ ବିରୋଧରେ ଉପସ୍ଥାପନ କରାଯାଇଥିଲା ହେଁ ପାରିତ ହୋଇ ପାରିନି।

ମାଳଦ୍ଵୀପର ରାଷ୍ଟ୍ରପତି ଏହି ମାମଲାରେ କୌଣସି ଟିପ୍ପଣୀ କରିନଥିବା ବେଳେ ବିରୋଧୀ ଖୋଲାଖୋଲି ନୂପୁର ଶର୍ମାଙ୍କ ବିରୋଧରେ ମେଳି କରିଛନ୍ତି। ସଂସଦରେ ଏହି ପ୍ରସ୍ତାବ ସମର୍ଥନରେ କେବଳ ୧୦ ସାଂସଦ ଭୋଟ୍ ଦେଇଥିବା ବେଳେ ୩୩ ସାଂସଦ ବିପକ୍ଷରେ ଭୋଟ୍ ଦେଇଛନ୍ତି। ଏହି କାରଣରୁ ପ୍ରସ୍ତାବ ଗୃହୀତ ହୋଇ ପାରିନାହିଁ। ସରକାର ଏହି ମାମଲାରେ ପ୍ରତିକ୍ରିୟା ନଦେବା ଚିନ୍ତାର ବିଷୟ ବୋଲି ବିରୋଧୀ ନେତା ଶରିଫ ଉମର କହିଛନ୍ତି।

ଜୋର୍ଡାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ବିବୃତି ଜାରି କରି ପୈଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀର ନିନ୍ଦା କରିଛନ୍ତି। ପୈଗମ୍ଵର ଅହମ୍ମଦଙ୍କ ବିରୋଧରେ ଏହି ଧରଣର ବୟାନକୁ କେବେ ବି ସ୍ଵୀକାର କରାଯିବ ନାହିଁ ବୋଲି ଇଣ୍ଡୋନେସିଆ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.