ଆପଣ କ'ଣ କାର୍ଯ୍ୟାନୁଷ୍ଠାନ କରିଛନ୍ତି ? ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

Published By : Prameya-News7 Bureau | July 01, 2022 IST

ନୂଆଦିଲ୍ଲୀ ୧।୭:  ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ପୈଗମ୍ବର ମହମ୍ମଦ ମାମଲାରେ ବିବାଦୀୟ ବୟାନ ଦେଇଥିବା ନୂପୁର ଶର୍ମାଙ୍କ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି । ଯଦି ଟିଭି ଆଙ୍କର ତାଙ୍କୁ ଉକ୍‌ସାଉ ଥିଲେ, ତେବେ ତାଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର୍‌ ରୁଜୁ ହେବା କଥା । ଅନ୍ୟପକ୍ଷରେ ପ୍ରୋଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ମଧ୍ୟ ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି । ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କେବଳ ତାଙ୍କ ଲାଗି ଏଭଳି ଘଟଣା ଘଟିଥିବା ସୁପ୍ରିମକୋର୍ଟ କହିଛନ୍ତି । 

ସୂଚନାଯୋଗ୍ୟ ଯେ, ଏକ ଟେଲିଭିଜନ ବିତର୍କରେ ନୂପୁର ଶର୍ମା ପ୍ରୋଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଘଟଣା ପ୍ରଘଟ ହେବା ପରେ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ତେବେ ଘଟଣା ନେଇ ମଧ୍ୟପ୍ରାଚ୍ୟରୁ ପ୍ରତିକ୍ରିୟା ଆସିବା ପରେ ଘଟଣାକୁ ନେଇ ଭାରତ ସରକାରଙ୍କ ଚେତାପଶିଥିଲା। ଓ ଏପରି ବିବାଦୀୟ ବୟାନ ପାଇଁ ପ୍ରଥମେ ନୂପୁର ଶର୍ମାଙ୍କୁ ମୁଖପାତ୍ର ପଦବୀରୁ ବହିଷ୍କାର କରାଯାଇଥିବା ବେଳେ ଦଳରୁ ନିଲମ୍ବନ କରାଯାଇଥିଲା।

ତେବେ ନୂପୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସାରା ଦେଶରେ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ତେବେ ପ୍ରସଙ୍ଗରେ ସରକାରଙ୍କ ନିରବତା ଯୋଗୁ ଏହା କ୍ରମେ ତୀବ୍ର ହୋଇଥିବା ବେଳେ ଶୁକ୍ରବାର ନମାଜ ପରେ ବିଭିନ୍ନ ସ୍ଥାନରେ ଟେକାପଥର ମାଡ ହୋଇଥିଲା। ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ପୋଲିସ ଏତଲା ହୋଇଥିବା ବେଳେ ମୁମ୍ବାଇ ପୋଲିସ ନୂପୁର ଶର୍ମାଙ୍କୁ ମାମଲାରେ ତଲବ ମଧ୍ୟ କରିଥିଲା। ତେବେ ହାଜର ନ ହେବା ଯୋଗୁ ପୋଲିସ ତାଙ୍କ ବିଭିନ୍ନ ଠିକଣା ଉପରେ ଚଢଉ କରିଥିବା ବେଳେ ନୂପୁର କିନ୍ତୁ ଫେରାର ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.