ଦେଶରେ ୩୭ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ମାମଲା

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ ୨।୫: ଦେଶରେ ଥମିବାର ନାଁ ନେଉନି କରୋନା ଭାଇରସ୍ ର ସଙ୍କଟ । ଲକ୍ ଡାଉନ୍ ସତ୍ତ୍ବେ ଦେଶରେ ହ୍ରାସ ପାଇବା ପରିବର୍ତ୍ତେ କୋରାନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ଅତିକ୍ରମ କରିସାରିଲାଣି । ଏହାସହ ମୃତ୍ୟୁସଂଖ୍ୟା ୧୨୧୮ରେ ପହଞ୍ଚିଛି । ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଶନିବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ସମୁଦାୟ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୩୭୩୩୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨୬୧୬୭ ସକ୍ରିୟ ମାମଲା ଥିବାବେଳେ ୯୯୫୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୨୯୩ ଜଣ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ବେଳେ ୭୧ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ରିପୋର୍ଟ ହୋଇଛି ।

ଦେଶରେ କରୋନା ଭାଇରସ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଲାଗୁ ହୋଇଥିବା ଲକ୍ ଡାଉନ୍ ଅବଧି ମେ’ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା, ଟ୍ରେନ୍ ଏବଂ ଆନ୍ତଃରାଜ୍ୟ ବସ୍ ଯାତ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ । ଅବଶ୍ୟ, ଏହି ଅବଧିରେ ଲୋକମାନଙ୍କର ଗତିବିଧି ତଥା ବିଭିନ୍ନ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ କିଛି ସୁବିଧା ଦିଆଯାଇଛି ଯେଉଁଠାରେ ସୀମିତ ମାମଲା କିମ୍ବା କୋଭିଡ୍-୧୯ର କୌଣସି ମାମଲା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.