ଆୟୁଷ୍ମାନ ଭାରତ ଯୋଜନାର ବଢ଼ିପାରେ ହିତାଧିକାରୀଙ୍କ ସଂଖ୍ୟା, ବଜେଟରେ ହୋଇପାରେ ଘୋଷଣା

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ  ସରକାର ଚଳିତ ମାସ ୨୩ ତାରିଖରେ ୨୦୨୪-୨୫ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ   ବଜେଟ ଉପସ୍ଥାପନ କରିବେ । ଏଥର ଦେଶରେ ମେଣ୍ଟ ସରକାର ହୋଇଛି ।  ତେଣୁ ବଜେଟ ଲୋକାଭିମୁଖୀ ହେବା  ଆଶା ରହିଛି । ଆଶା କରାଯାଉଛି ସରକାର ଏଥର ବଜେଟ୍‌ରେ ଆୟୁଷ୍ମାନ   ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ   ଯୋଜନା (ପିଏମ୍‌ଜେଏୱାଇ)କୁ ନେଇ  କିଛି ବଡ଼ ଘୋଷଣା କରିପାରନ୍ତି । 

ରିପୋର୍ଟ  ଅନୁସାରେ, କେନ୍ଦ୍ର ସରକାର ଆୟୁଷ୍ମାନ  ଭାରତ ଯୋଜନା ଅଧୀନରେ ବୀମା  କଭରେଜ୍‌ ସୀମାକୁ ୫ ଲକ୍ଷ ଟଙ୍କାରୁ ବଢ଼ାଇ  ୧୦ ଲକ୍ଷ ଟଙ୍କା କରିପାରନ୍ତି ।  ଆହୁରି ମଧ୍ୟ ଏନ୍‌ଡିଏ ସରକାର ଆଗାମୀ  ୩ ବର୍ଷରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା  ଯୋଜନା ଅଧୀନରେ ହିତାଧିକାରୀ ସଂଖ୍ୟାକୁ  ଦୁଇ ଗୁଣା କରିପାରନ୍ତି।

ଏମିତିରେ ଯଦି ସରକାର ଆଗାମୀ ୩ ବର୍ଷରେ ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ ଦୁଇଗୁଣା  କରନ୍ତି, ତେବେ ଦେଶର ଦୁଇ ତୃତୀୟାଂଶ  ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ମିଳିପାରିବ । ସରକାର ଆୟୁଷ୍ମାନ   ଯୋଜନା ଅନ୍ତର୍ଗତ ବୀମା ରାଶିକୁ  ବର୍ତ୍ତମାନର ୫ ଲକ୍ଷ ଟଙ୍କାରୁ ବଢ଼ାଇ ୧୦  ଲକ୍ଷ ଟଙ୍କା କରିବାର ପ୍ରସ୍ତାବକୁ ଚୂଡ଼ାନ୍ତ  ରୂପ ଦେବାକୁ ବିଚାର ବିମର୍ଶ କରୁଛନ୍ତି ।  

ରିପୋର୍ଟ ଅନୁସାରେ,  ଯଦି ଏହି ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳେ,  ତେବେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧୀକରଣ ଦ୍ୱାରା  ପ୍ରସ୍ତୁତ ଅନୁମାନ ମୁତାବକ, ସରକାରୀ  ରାଜକୋଷ ଉପରେ ପ୍ରତିବର୍ଷ ୧୨,୦୭୬  କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ।  ଅନ୍ୟ ଏକ ସୂତ୍ର ଅନୁସାରେ, ୭୦ ବର୍ଷରୁ  ଅଧିକ ବୟସ୍କ ଲୋକଙ୍କୁ ମିଶାଇ ଏହି  ଯୋଜନା ଅଧୀନରେ ଅତିରିକ୍ତ ୪ରୁ୫  କୋଟି ହିତାଧିକାରୀ ଯୋଡ଼ି ହୋଇଯିବେ । 

ଆୟୁଷ୍ମାନ ଭାରତ-ପିଏମ୍‌ଜେଏୱାଇ  ପାଇଁ ୫ ଲକ୍ଷ ଟଙ୍କାର ସୀମା ବର୍ଷ  ୨୦୧୮ରେ ନିର୍ଦ୍ଧାରଣ କରାଯାଇଥିଲା ।  ଏବେ ଦରବୃଦ୍ଧି ଏବଂ ପ୍ରତ୍ୟାରୋପଣ  ସମେତ ଅନ୍ୟ ମହଙ୍ଗା ଚିକିତ୍ସା କ୍ଷେତ୍ରରେ ଲୋକଙ୍କୁ ଆଶ୍ୱସ୍ତି  ଦେବା ଉଦ୍ଦେଶ୍ୟରେ ଯୋଜନା  ଅଧୀନରେ ମିଳୁଥିବା ବୀମା ରାଶିକୁ  ଦୁଇଗୁଣା କରିବାକୁ ବିଚାର ହେଉଛି ।  ସୂଚନାଯୋଗ୍ୟ, ଏହି ଯୋଜନାରେ  ଏବେ ୫୫ କୋଟି ଲୋକ ଲାଭ ପାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.