ଦୁର୍ଘଟଣାଜନିତ ମୃତ୍ୟୁଶୂନ୍ୟ ସପ୍ତାହରେ ବଢିଲା ସଂଖ୍ୟା: ଦୋଷ ଲଦାଲଦି ହେଲେ ପରିବହନ ବିଭାଗ, ଏନ୍‌ଏଚ୍‌ କର୍ତ୍ତୃପକ୍ଷ

Published By : Prameya-News7 Bureau | December 08, 2023 IST

ଭୁବନେଶ୍ୱର ୦୮/୧୨: ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ଆୟୋଜିତ ଦୁର୍ଘଟଣାଜନିତ ମୃତ୍ୟୁଶୂନ୍ୟ ସପ୍ତାହ ସରିଛି । ହେଲେ ଗତଥରଠୁ ଏଥର ବଳିଯାଇଛି ମୃତ୍ୟୁ ହାର । କେଉଁଠି ଦୁର୍ଘଟଣା ଏକାବେଳକେ ୫ଜଣଙ୍କ ଜୀବନ ନେଇଛି ତ ଆଉ କେଉଁଠି ହାତଗଣ୍ଠି ପଡି଼ବା ପୂର୍ବରୁ ବରର ଜୀବନ ଯାଇଛି । ପୂର୍ବଥର ଏଥର ମଧ୍ୟ ପରିବହନ ବିଭାଗ ଓ ଏନ୍‌ଏଚ୍‌ କର୍ତ୍ତୃପକ୍ଷ ପରସ୍ପରକୁ ଦୋଷ ଲଦାଲଦି ଚାଲିଛି ।

ଚଳିତ ସପ୍ତାହରେ ପ୍ରାୟ ଦେଢ଼ଶହରୁ ଅଧିକ ବଡ଼ ଦୁର୍ଘଟଣା ଘଟିଛି । ସେଥିରେ ୭୭ ଜଣଙ୍କ ପ୍ରାଣ ଯାଇଛି । ଡିସେମ୍ବର ପହିଲାରେ ହିଁ କେନ୍ଦୁଝର ଘଟଗାଁରୁ ଏକ ଭୟଙ୍କର ଦୁର୍ଘଟଣା ସାମ୍ନାକୁ ଆସିଥିଲା । ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଯାଉଥିବା ଏକ ୱିଙ୍ଗର୍‌ ଭାରସାମ୍ୟ ହରାଇ ଟ୍ରକ ପଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏକାବେଳକେ ୮ଜଣ ଜୀବନ ନେଇଥିଲା । ୧୨ ଜଣ ଆହତ ହୋଇଥିଲେ । ତା’ପରଠୁ ଘାତକ ଦୁର୍ଘଟଣା ମାତ୍ରା ଥମିବାର ନାଁ ନେଇନଥିଲା ।

କେବଳ ରାଜଧାନୀରେ ୧୦ରୁ ଅଧିକଙ୍କ ପ୍ରାଣ ଯାଇଛି । ନୂଆପଲ୍ଲୀ, ଭରତପୁର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଅଞ୍ଚଳରେ ଦୁର୍ଘଟଣାରେ ଜଣେ ଲେଖାଏଁ ମରିଥିଲେ । ପାହାଳର ଦୁର୍ଘଟଣା ୨ଜଣଙ୍କ ଜୀବନ ନେଇଥିଲା । ଘଟଗାଁ ଦୁର୍ଘଟଣା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ୨ଜଣ ପାଟ୍ରୋଲିଂ ଇନ୍‌ଚାର୍ଜଙ୍କୁ ନିଲମ୍ବନ କରାଯାଇଥିଲା ।

ଏହାପରଠୁ ଏନ୍‌ଏଚ୍‌ କର୍ତ୍ତୃପକ୍ଷ ଓ ପରିବହନ ବିଭାଗ ଦୋଷ ଲଦାଲଦି ଚାଲିଲା । ଏନ୍‌ଏଚ୍‌ କର୍ତ୍ତୃପକ୍ଷ ବ୍ରେକ୍‌ ଡାଉନ୍‌ ହୋଇଥିବା ଗାଡି଼ ଓ ମଲା ପଶୁପକ୍ଷୀଙ୍କୁ ରାଜପଥ ଉପରୁ ହଟାଉ ନାହାନ୍ତି ବୋଲି ପରିବହନ ବିଭାଗ ଯୁକ୍ତି ବାଢ଼ିଥିଲା । ସେହିପରି ରାସ୍ତାକଡ଼ରୁ ବେଆଇନ୍‌ ପାର୍କିଂ ହଟାଇବା ଦାୟିତ୍ୱ ପରିବହନ ବିଭାଗ ଓ ପୁଲିସର ବୋଲି ଏନ୍‌ଏଚ୍‌ କର୍ତ୍ତୃପକ୍ଷ ଦର୍ଶାଇଥିଲେ ।

ଏପ୍ରିଲ ପହିଲାରୁ ୭ ତାରିଖ ଯାଏଁ ଚଳିତବର୍ଷର ପ୍ରଥମ ମୃତ୍ୟୁଶୂନ୍ୟ ସପ୍ତାହ ଚାଲିଥିଲା । କିନ୍ତୁ ସପ୍ତାହକ ଭିତରେ ରାଜ୍ୟରେ ପ୍ରାୟ ୧୨୫ଟି ବଡ଼ ଦୁର୍ଘଟଣା ଘଟିଥିଲା । ମୋଟ ୭୦ଜଣଙ୍କ ମୁଣ୍ଡ ଗଡି଼ଥିଲା । ଅର୍ଥାତ୍‌, ପ୍ରତିଦିନ ହାରାହାରି ୧୦ଜଣଙ୍କ ଜୀବନ ଯାଇଥିଲା । ଅବଶ୍ୟ ସେହି ସପ୍ତାହରେ ବୌଦ୍ଧ, ରାୟଗଡ଼ା, ସୋନପୁର, ଭଦ୍ରକ, ମାଲକାନଗିରି, ନୟାଗଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ଦୁର୍ଘଟଣାରେ କୌଣସି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇନଥିଲା । ଏଥର ପରିବହନ କର୍ତ୍ତୃପକ୍ଷ ଆଉ ଟ୍ରାଫିକ୍‌ ପୁଲିସ ପକ୍ଷରୁ ସେତେଟା ଏନ୍‌ଫୋର୍ସମେଣ୍ଟ ହୋଇନଥିଲା ।

କିନ୍ତୁ ଗଲା ମୃତ୍ୟୁଶୂନ୍ୟ ସପ୍ତାହରେ ପରିବହନ କର୍ତ୍ତୃପକ୍ଷ ଆଉ ଟ୍ରାଫିକ୍‌ ପୁଲିସ ଜରିମାନା ଆଦାୟ ଓ କାର୍ଯ୍ୟାନୁଷ୍ଠାନ ଜୋର୍‌ଦାର କରିଥିଲା । ସପ୍ତାହକ ଭିତରେ ପୁଲିସ ୨୦,୦୨୦ଟି ଓ ଆରଟିଓ ୨୪,୫୦୬ଟି ଇ-ଚାଲାଣ କାଟିଥିଲା । ମୋଟ ୩୬୧୬ଜଣ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ରଦ୍ଦ କରାଯାଇଥିଲା । ପ୍ରାୟ ୬୧୧ଟି ଗାଡି଼ ଜବତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.