‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ, କହିଲେ ସମସ୍ତଙ୍କ ଜୀବନରେ ଆଣିଦେଉ ଶାନ୍ତି ଓ ସମୃଦ୍ଧି

Published By : Prameya-News7 Bureau | September 01, 2022 IST

ଭୁବନେଶ୍ୱର ୦୧/୦୯: ଭିଡ଼ିଓ ବାର୍ତ୍ତା ଜରିଆରେ ‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରୀ କରି ରାଜ୍ୟବାସୀଙ୍କୁ ଏହି ପବିତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଇ ଓ ସମସ୍ତ ଆରାଧ୍ୟା ଦେବୀଙ୍କୁ ପ୍ରଣାମ ଜଣାଇ ଭିଡିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଁଖାଇ ହେଉଛି ପରିବାର ଏବଂ ସମାଜ ଭିତରେ ସ୍ନେହ, ଶ୍ରଦ୍ଧା ସହ ଭାଇଚାରା ବଢାଇବାର ଅବସର । ପରିବାର ମଜବୁତ୍ ହେଲେ ସମାଜ ମଜବୁତ୍ ହେବ ଏବଂ ସମାଜ ମଜବୁତ୍ ହେଲେ ଦେଶ ମଜବୁତ ହେବ ଓ ଆଗକୁ ବଢ଼ିବ । ତେଣୁ ନୂଆଁଖାଇରେ ଦେଶକୁ ମଜବୁତ୍ କରିବା ପାଇଁ ସମସ୍ତେ ସଂକଳ୍ପ କରିବା ଦରକାର ।

wp:html /wp:html

ନୂଆଁଖାଇ ଆମର ପରିଚୟ ଓ ଆମର ସଂସ୍କୃତିର ପ୍ରତୀକ । ତେଣୁ ଏହି ପବିତ୍ର ଦିବସର ଭାଇଚାରା ବଢ଼ାଇବାର ସନ୍ଦେଶକୁ ବ୍ୟାପକ କରି ସୁନ୍ଦର ସମାଜ ତିଆରି କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏ ସମୟ ହେଉଛି ସମସ୍ତେ ମିଳିମିଶି କରି ଦେଶର ଚାଷ ଏବଂ ଚାଷୀର ଅବସ୍ଥାକୁ ମଜବୁତ୍ କରିବାର ସମୟ ।

ମହାପ୍ରଭୁ ଓ ଆରାଧ୍ୟା ଦେବୀ ମାଆ ମାନଙ୍କ ଶୁଭ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ । ନୂଆଁଖାଇ ସମସ୍ତଙ୍କ ଜୀବନରେ ଓ ପରିବାରରେ ଶାନ୍ତି, ସମୃଦ୍ଧି ସହ ଖୁସି ଏବଂ ଆନନ୍ଦ ଆଣିଦେଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.