ଅଦାଲତଙ୍କ ଆଦେଶର ପାଳନ କରାଯାଉନି, ଏବେ ଆଇଏଏସ ଅଧିକାରୀଙ୍କୁ ଜେଲ୍ ପଠାଇବାର ସମୟ ଆସି ଯାଇଛି- ହାଇକୋର୍ଟ

Published By : Prameya-News7 Bureau | June 06, 2022 IST

ବେଙ୍ଗାଲୁରୁ; ଅଦାଲତ ଆଦେଶର ପାଳନ ହେଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ଣ୍ଣାଟକ  ହାଇକୋର୍ଟ। କୋର୍ଟ କହିଛନ୍ତି, ବର୍ତ୍ତମାନ କୌଣସି ଆଇଏଏସ ଅଧିକାରୀଙ୍କୁ ଜେଲ୍ ପଠାଇବାର ସମୟ ଆସି ଯାଇଛି। ବିଚାରପତିଙ୍କ ଜଣିକିଆ ଖଣ୍ଡପୀଠ ୨୦୨୧ ଜୁଲାଇ ୧୯ରେ ରାଜ୍ୟର ବିଭିନ୍ନ ନଗର ପାଳିକାରେ ଗ୍ରୁପ୍-ସିକୁ ଗ୍ରୁପ ବି ଚାକିରିରେ ବିଲୟ କରିବା ସମ୍ବନ୍ଧରେ ଡ୍ରାଫ୍ଟ ସଂଶୋଧନ ନିୟମର ଦୁଇ ମାସ ଭିତରେ ଅଧିସୂଚନା ଜାରି କରିବାକୁ ଆଦେଶ ଦେଇଥିଲେ।

କର୍ଣ୍ଣାଟକ ନଗର ପାଳିକାରୁ ଜଣେ କର୍ମଚାରୀ କୋର୍ଟଙ୍କ ଆଦେଶ ପାଳନ ନକରିବା ଉପରେ ଅବମାନନା ଯାଚିକା ଦାଖଲ କରିଥିଲେ। ୨୦୨୨ ମେ ୩୧ରେ ମାମଲାର ପୁନଃ ଶୁଣାଣି ସମୟରେ ବି ରାଜ୍ୟ ସରକାର ଅଧିସୂଚନା ଜାରି କରିବାରେ ବିଫଳ ହୋଇଥିଲେ। ଅଦାଲତ ପରବର୍ତ୍ତୀ ଶୁଣାଣି ଜୁନ ୬ ଧାର୍ଯ୍ୟ କରିଥିଲେ ଏବଂ ସହରାଞ୍ଚଳ ବିକାଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାକେଶ ସିଂହ ଏବଂ ନଗର ପ୍ରଶାସନ ନିର୍ଦ୍ଦେଶକ ଏମ ଏସ ଅର୍ଚ୍ଚନାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ସୋମବାର ଦୁଇ ଅଧିକାରୀ ମୁଖ୍ୟ ବିଚାରପତି ରିତୁ ରାଜ ଅବସ୍ଥିଙ୍କ ଜଣିକିଆ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଧ୍ୟାନ ଚିନପ୍ପା ଅଦାଲତରେ କହିଛନ୍ତି ଯେ, ଡ୍ରାଫ ନିୟମ ଜୁନ ୩ରେ ପ୍ରସ୍ତୁତ ହୋଇ ଅଧିସୂଚିତ କରାଯାଇଛି। ଶୁଣାଣି ସହିତ ଅଦାଲତ ମାମଲାକୁ ଛଅ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ଶୁଣାଣିରେ ମଧ୍ୟ ଅଧିକାରୀ ଉପସ୍ଥିତ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୟରେ ହାଇକୋର୍ଟ କହିଛନ୍ତି, ଅଧିକାରୀ ତାଙ୍କ ଆଦେଶକୁ ଗମ୍ଭୀରତାର ସହ ନେଉ ନାହାନ୍ତି। ଏବେ କୌଣସି ଆଇଏଏସ ଅଧିକାରୀଙ୍କୁ ଜେଲ୍ ପଠାଇବାର ସମୟ ଆସି ଯାଇଛି। କାରଣ ଅଦାଲତଙ୍କ ଆଦେଶର ପାଳନ କରାଯାଉ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.