ଏହି ଲୋକଙ୍କୁ ଏବେଠାରୁ ଆଉ ଦାଖଲ କରିବାକୁ ପଡିବନି ITR, ପ୍ରତିଶ୍ରୁତି ପୂରଣ କଲେ ନିର୍ମଳା ସୀତାରମଣ
5/01/2023 at 4:41 PM

ନୂଆଦିଲ୍ଲୀ ୫।୧: ଗତ ବଜେଟ୍ରେ ମୋଦି ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ସରକାର ବର୍ଷକ ପୂର୍ବରୁ ପୁରଣ କରିଛନ୍ତି। ୨୦୨୩ ବଜେଟ୍ ପୂର୍ବରୁ କେନ୍ଦ୍ର ସରକାର ଆୟକରଦାତାଙ୍କୁ ବଡ଼ ଉପହାର ଦେଇଛନ୍ତି। ଏଥିରେ ସରକାର ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ଆଇଟିଆର) ନିୟମରେ ପରିବର୍ତ୍ତନ କରିଛନ୍ତି। ସେହି ଅନୁସାରେ ଏବେଠାରୁ କିଛି ବିଶେଷ ବର୍ଗର ଲୋକଙ୍କୁ ଆଉ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବନି।
ଗତ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ ୭୫ ବର୍ଷରୁ ଅଧିକ ଆୟୁ ବର୍ଗର ଆୟକର ଦାତାଙ୍କୁ ଆଉ ଆଇଟିଆର ଦାଖଲ କରିବାକୁ ପଡିବନି। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଗୁରୁବାର ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଯେଉଁଥିରେ ୭୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ଏବେଠାରୁ ଆଉ ଆଇଟିଆର ଦାଖଲ କରିବାକୁ ପଡିବନି ବୋଲି ସୂଚିତ କରିଛନ୍ତି। ଟ୍ୱିଟ୍ରେ ଯେଉଁ ବରିଷ୍ଠ ନାଗରିକଙ୍କ ଆୟର ସାଧନ କେବଳ ପେନସନ୍ ବା ବ୍ୟାଙ୍କରୁ ମିଳୁଥିବା ସୁଧ ସେପରି ଲୋକଙ୍କୁ ଆଉ ଆଇଟିଆର ଦାଖଲ କରିବାକୁ ପଡିବନି ବୋଲି ଉଲ୍ଲେଖ ରହିଛି।
As announced in Budget FY 2022-23, senior citizens above 75 years of age, having only pension and interest income, are now exempted from filing Income Tax Return. #PromisesDelivered pic.twitter.com/iuyIzyQPnJ
— NSitharamanOffice (@nsitharamanoffc) January 5, 2023
ଏଥିଲାଗି ସରକାର ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧ରେ ଏକ ନୂଆ ଧାରା ୧୯୪ପି ସଂଯୁକ୍ତ କରିଛନ୍ତି। ଏହି ଧାରା ବଳରେ ଏବେ ବରିଷ୍ଠ ନାଗରିକଙ୍କୁ ଏପରି ସୁବିଧା ମିଳିପାରିବ। ଏ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି) ସୂଚନା ଦେଇ କହିଛନ୍ତି ଯେ ଏ ନେଇ ଅଧିସୂଚନା ଜାରି ହୋଇସାରିଛି। ଏହା ଛଡା ଏଥିଲାଗି ରୁଲ ୩୧, ରୁଲ ୩୧ଏ, ଫର୍ମ-୧୬ ଓ ୨୪ କ୍ୟୁରେ ମଧ୍ୟ ଜରୁରି ସଂଶୋଧନ ହୋଇଛି ଓ ଏହା କାର୍ଯ୍ୟକ୍ଷମ ମଧ୍ୟ ହୋଇଛି।
ଆୟକର ଅଧିନିୟମ ନାଗରିକଙ୍କ ଆୟ ଉପରେ ଶୁଳ୍କର ପ୍ରାବଧାନ କରିବା ସହ ଅନେକ ଛାଡ ଓ ରିହାତି ମଧ୍ୟ ପ୍ରଦାନ କରିଥାଏ। ଏହି ରିହାତି ଓ ଛାଡରୁ ଆୟକର ଦେଉଥିବା ଲୋକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଥାଏ। ଏହାକୁ ଧ୍ୟାନରେ ରଖି ମୋଦି ସରକାରଙ୍କ ପକ୍ଷରୁ ୨୦୧୮ ମସିହା ବଜେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।