ନୂଆଦିଲ୍ଲୀ: ଭାରତକୁ ପାଖାପାଖି ୨୦୦ ବର୍ଷ ଶାସନ କରିଥିବା ବ୍ରିଟେନ୍ ଉପରେ ଜଣେ ଭାରତବଂଶୀଙ୍କ ରାଜ ହେବ। ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ସୋମବାର ଏହାର ବିଦ୍ଧିବଧ ଘୋଷଣା କରାଯାଇଛି। ଗୀତା ଉପରେ ହାତ ରଖି ଶପଥ ନେବାକୁ ଥିବା ଋଷି ସୁନକ ଖ୍ରୀଷ୍ଟିୟାନ ବାହୁଲ୍ୟ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ। କେବଳ ଏତିକି ନୁହେଁ ସୁନକ ବ୍ରିଟେନର ପ୍ରଥମ ଅଶ୍ଵେତ ପ୍ରଧାନମନ୍ତ୍ରୀ ହେବେ। ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ ଭାରତ ସହିତ ପାକିସ୍ତାନରେ ବି ଖୁସିର ଲହରି ଖେଳି ଯାଇଛି। କାରଣ ସୁନକଙ୍କ ଜେଜେ ବାପା ଏବଂ ଜେଜେ ମାଆ ବ୍ରିଟିଶ ଶାସନାଧୀନ ଭାରତରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ତାଙ୍କର ଜନ୍ମ ଗୁଞ୍ଜରାଓ୍ଵାଲାରେ ହୋଇଥିଲା, ଯାହା ବର୍ତ୍ତମାନ ପାକିସ୍ତାନର ପଞ୍ଜାବ ରାଜ୍ୟରେ ଅବସ୍ଥିତ। ଏହି ପ୍ରକାରେ ଏକ ଅଜବ ପ୍ରକାରେ ବ୍ରିଟିଶର ନୂତନ ପ୍ରଧାନମନ୍ତ୍ରୀ ଜଣେ ଭାରତୀୟ ଏବଂ ଜଣେ ପାକିସ୍ତାନୀ।
ପୂର୍ବତନ ଅର୍ଥ ମନ୍ତ୍ରୀ(୪୨)ଙ୍କୁ କଞ୍ଜରଭେଟିଭ୍ ପାର୍ଟିର ୩୫୭ ସଦସ୍ୟ ମଧ୍ୟରୁ ଅଧାରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ଜିତିବା ପାଇଁ ଜରୁରୀ ଥିଲା ୧୦୦ ସାଂସଦଙ୍କ ସମର୍ଥନ। ସୁନକ ଗୁଞ୍ଜରାଓ୍ଵାଲାର ଏକ ପଞ୍ଜାବୀ ଖତ୍ରି ପରିବାରରୁ ଆସିଛନ୍ତି, ଯାହା ଏବେ ପାକିସ୍ତାନରେ ରହିଛି। ଋଷିଙ୍କ ଜେଜେବାପା ରାମଦାସ ସୁନକ ୧୯୩୫ରେ ନାଇରୋବିରେ କିରାଣୀ ଚାକିରି ପାଇଁ ଗୁଞ୍ଜରାଓ୍ଵାଲା ଛାଡିଥିଲେ।
ଋଷିଙ୍କ ଜନ୍ମସ୍ଥାନ ସାଉଥମ୍ପଟନ
ରାମଦାସଙ୍କ ପତ୍ନୀ ସୁହାଗ ରାଣୀ ସୁନକ ୧୯୩୭ରେ କେନିଆ ଯାତ୍ରା କରିବା ପୂର୍ବରୁ ନିଜ ଶାଶୁଙ୍କ ସହିତ ଗୁଞ୍ଜରାଓ୍ଵାଲାରୁ ଦିଲ୍ଲୀ ଚାଲି ଆସିଥିଲେ। ତେବେ ପାକିସ୍ତାନରେ ସୁନକଙ୍କ ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ଉପଲବ୍ଧ ନାହିଁ। ଋଷି ସୁନକଙ୍କ ବାପା-ମାଆ ଭାରତୀୟ। ୧୯୮୦ ମସିହା ମେ ୧୨ରେ ଇଂଲଣ୍ଡର ସାଉଥମ୍ପଟନ୍ ଋଷି ସୁନକଙ୍କ ଜନ୍ମ ହୋଇଥିଲା । ଋଷି ସୁନକଙ୍କ ଜେଜେ ବାପା-ଜେଜେ ମାଆ ଭାରତରୁ ଯାଇ ଆଫ୍ରିକାରେ ବାସ କରିଥିଲେ । ଏହାପରେ ତାଙ୍କ ବାପା ଆଫ୍ରିକାରୁ ଯାଇ ବ୍ରିଟେନରେ ରହିଥିଲେ । ବ୍ରିଟେନରେ ହିଁ ତାଙ୍କ ବାପା-ମାଆଙ୍କ ବିବାହ ହୋଇଥିଲା।
୪୨ ବର୍ଷୀୟ ଋଷି ସୁନକ ଭାରତର ବିଶିଷ୍ଟ ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି । ଋଷି ଏବଂ ଅକ୍ଷତାଙ୍କ ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା । ବ୍ରିଟେନରେ ଋଷି ସୁନକଙ୍କ ବେଶ ଖାତିର । ସେ ଜଣେ ଧନୀ ସାଂସଦ ରୂପେ ପରିଚିତ । ତାଙ୍କର ସମ୍ପତ୍ତି ୭୩୦୦ କୋଟି ଟଙ୍କାରୁ ଅଧିକ । ପତ୍ନୀ ଅକ୍ଷତା ତାଙ୍କ ଠାରୁ ବି ବହୁ ଅଧିକ ଧନୀ।