Paytm ଏବେ ପୂରା ଭାରତୀୟ କମ୍ପାନୀ, ଚୀନ୍ ଭାଗିଦାରୀ ଶେଷ

Published By : Prameya-News7 Bureau | August 06, 2025 IST

ନୂଆଦିଲ୍ଲୀ ୬।୮: ପେଟିଏମର ମୂଳ କମ୍ପାନୀ ୱାନ୯୭ କମ୍ୟୁନିକେସନର ମାଲିକାନା ଏବେ ଭାରତୀୟଙ୍କ ହାତରେ। ଜ୍ୟାକ୍ ମା ଙ୍କ କମ୍ପାନୀ ଆଣ୍ଟ ଫାଇନାନ୍ସିଆଲ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମର ମୂଳ କମ୍ପାନୀ ୱାନ ୯୭ କମ୍ୟୁନିକେସନରେ ଥିବା ତାଙ୍କର ୫.୮୪% ଭାଗିଦାରୀକୁ ପାଖାପାଖି ୩,୯୮୦ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି। ଏହି ଡିଲ ସମ୍ପର୍କରେ ଅବଗତ କମ୍ପାନୀର ଜନୈକ ଅଧିକାରୀ କହିଛନ୍ତି ‘ପେଟିଏମ ଏବେ ଟାଟା ଭଳି ସମ୍ପୂର୍ଣ୍ଣ ଭାରତୀୟ କମ୍ପାନୀ’। 

ଏହି ପରିବର୍ତ୍ତନ ଆଣ୍ଟ ଫିନ (ନେଦରଲ୍ୟାଣ୍ଡ) ହୋଲ୍ଡିଂ ବି. ଭି. କେ. ନିକଟରେ ବାହାରିଯିବା ସହ ପେଟିଏମରେ ତାର ଶେଷ ଅଂଶଧନ ୫.୮୪%  ବାହାର କରି ନେଇଛି। ଫଳରେ କମ୍ପାନୀରେ ଏବେ ଚୀନ ସ୍ୱାମୀତ୍ୱ ଶୁନ୍ୟ ହୋଇଯାଇଛି। ପେଟିଏମ ଭୁଟ୍ଟାନ, ଶ୍ରୀଲଙ୍କା ଓ ନେପାଳ ସହିତ ବିଭିନ୍ନ ଦେଶରେ ୟୁପିଆଇ ପେମେଣ୍ଟ କୁ ସମର୍ଥନ କରୁଛି। ଏଣୁ ବିଦେଶରେ ଭାରତୀୟ ଯାତ୍ରୀ ଓ ପର୍ଯ୍ୟଟକଙ୍କ ନିମନ୍ତେ ନେଣ ଦେଣ ସୁଗମ ହୋଇ ପାରିଛି। 

ଚୀନ ନିବେଶ କାରଣରୁ ସରକାରଙ୍କ ଟାର୍ଗେଟକୁ ଆସୁଥିବା ପେଟିଏମ ଏବେ ଏହି ଝିନଝଟରୁ ମୁକ୍ତ ହୋଇ ଯାଇଛି। କମ୍ପାନୀ ତା ଉପରେ ଚୀନ ନିବେଶ ରୂପେ ଲାଗିଥିବା କଳଙ୍କକୁ ସମ୍ପୂର୍ଣ୍ଣ ଧୋଇ ଦେଇଛି। ଏବେ ଏହି କମ୍ପାନୀ  ସମ୍ପୂର୍ଣ୍ଣ ଭାରତୀୟ ହୋଇ ଯାଇଛି। ପେଟିଏମର ମଦର କମ୍ପାନୀ ୱାନ ୯୭ କମ୍ୟୁନିକେସନ ଏବେ ସମ୍ପୂର୍ଣ୍ଣ ଭାରତୀୟ କମ୍ପାନୀରେ ପରିଣତ ହୋଇଛି। ପାଖାପାଖି ୯ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ ପେଟିଏମର ସଂସ୍ଥାପକ ତଥା ସିଇଓ ବିଜୟ ଶେଖର ଶର୍ମା ସେତେବେଳେ କହିଥିଲେ ଯେ ଆମେ ମାରୁତୀ ଭଳି ଭାରତୀୟ। 

ଆଣ୍ଟ ଗ୍ରୁପ ବାହାରିଯିବା ପରେ ପେଟିଏମରେ କେବଳ ଭାରତୀୟ ନିବେଶକ ଓ ଗ୍ଲୋବାଲ ଇନଭେଷ୍ଟରଙ୍କ ଅଂଶିଦାରୀ ରହିଛି। ଆଣ୍ଟ ଗ୍ରୁପର ସହଯୋଗୀ କମ୍ପାନୀ ଆଣ୍ଟ ଫିନ୍ ନୋଏଡାସ୍ଥିତ ୱାନ ୯୭ କମ୍ୟୁନିକେସନ ସେୟାରକୁ ଖୋଲା ବଜାରରେ ବିକ୍ରି କରିଦେଇଛି। ୩.୭୩ କୋଟି ସେୟାରକୁ ଆଣ୍ଟ ଫିନ୍ ଦୁଇଟି କିସ୍ତିରେ ବିକ୍ରି କରିଛି। ଏଥି ପାଇଁ ପ୍ରତି ସେୟାର ୧,୦୬୭.୫୩-୧,୦୬୭.୬୩ ଟଙ୍କାରେ ବିକ୍ରି କରିଛି। ଏହା ଦ୍ୱାର ମୋଟ ସେୟାର ବିକ୍ରିରୁ ଆଣ୍ଟ ଫିନ ୩,୯୮୦.୭୬ କୋଟି ଟଙ୍କା ପାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.